କେ.ସୀତାପୁର ଗ୍ରାମରେ ହେବାକୁ ଥିବା ଦୁଇଟି ବାଲ୍ୟ ବିବାହ କୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ. ସୀତାପୁର ଗ୍ରାମରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲାପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ପ୍ରଭା ଚାଇଲଡ଼ ଲାଇନକୁ ଖବର ଆସିଥିଲା l ପ୍ରଭା ଚାଇଲ୍ଡ ଲାଇନର ଏ.ମୀନାକ୍ଷୀ ଖବରପାଇ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକଲତା ପୂଜାରୀଙ୍କୁ ଜଣାଇଥିଲେ । ଶ୍ରୀମତୀ ପୂଜାରୀ ଖବରପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ । ଏହାପରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଏକ ଟିମ ଗଠନ କରାଯାଇଥିଲା ।

ଉକ୍ତ ଟିମରେ ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଅଳକା ସାହୁ, ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ଶ୍ରୀମତୀ ରୀନା କୁମାରୀ ବେହେରା, କାଶୀ ନଗର ଥାନାର ଏସ. ଆଇ ଶ୍ରୀଯୁକ୍ତ ରତ୍ନନିଧି ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଜୟପ୍ରକାଶ ବଡ଼ତ୍ୟା, ସଖି ୱାନଷ୍ଟପ ସେଣ୍ଟରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ ଓ ସଭ୍ୟ ମଧୁସ୍ମିତା ସାହୁ, ଏକସନ ଏଡ୍‌ର ସଂଯୋଜକ ଆଲୋକ ପାଢ଼ୀ ଏବଂ ଚାଇଲଡ଼ ଲାଇନର ସଂଯୋଜକ ସୁଶ୍ରୀ ଏ. ମିନାକ୍ଷୀ ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ । ଏହା ପରେ ବିବାହ ହେବାକୁ ଥିବା ଝିଅମାନଙ୍କର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇ ସେମାନଙ୍କର ପିତା ଓ ମାତାଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା ।

ଏହା ପରେ ସେମାନଙ୍କର ପିତା ଝିଅମାନଙ୍କୁ ୧୮ ବର୍ଷ ପୂରଣ ନ ହେବା ଯାଏଁ ବିବାହ ଦେବୁ ନାହିଁ ବୋଲି ଲିଖିତ ଆକାରରେ ଦେଇଥିଲେ । ଯଦି ଏଥିରେ ତ୍ରୁଟି କରିବୁ ତାହାଲେ ଆଇନ ଅନୁସାରେ ଦଣ୍ଡ ପାଇବୁ ବୋଲି ଲେଖିଥିଲେ । ଟାସ୍କଫୋର୍ସ ଦ୍ୱାରା ଝିଅମାନଙ୍କୁ ପରାମର୍ଶ ଦେବା ସହ ଉପସ୍ଥିତ ଶିଶୁ ମଙ୍ଗଳ ସମିତିର ସଦସ୍ୟାଙ୍କ ଆଗରେ ଝିଅମାନଙ୍କୁ ଉପସ୍ଥାପନ କରାଯାଇଥିଲା । ସେମାନଙ୍କୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବାସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି   (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version