ସହରରେ ତାପମାତ୍ରା ୪୦ଂ : ତତଲା କଡ଼େଇରେ ହିଂଜିଳିକାଟୁ ସହର

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ହିଞ୍ଜିଳିକାଟୁ :- ବଦଳିଛି ପାଗ । ଆଉ ହଠାତ୍ ପାଗରେ ପରିବର୍ତନ ସହ ମୁଣ୍ଡପଟା ଖରା ଏବେ ସାଧାରଣ ଲୋକଙ୍କୁ କଲବଲ କରୁଛି । ସହରର ତାପମାତ୍ରା ୪୦ ଂ ରହିଥିବା ବେଳେ ତତଲା କଡ଼େଇରେ ହିଂଜିଳିକାଟୁ ରହିଛି । ଦିନସାରା ଦେହରୁ ଝାଳ ଶୁଖୁନାହିଁ । ସକାଳ ୧୦ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ଝାଂଜିପବନ କାରଣରୁ ମୁହଁ ଶିଝିଯାଉଛି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଗତ ୫ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରାଯାଇଥିବା ବେଳେ ସହରର ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ସକାଳ ୬ ଟାରୁ ମଧ୍ୟାନ୍ନ ୧୧ଟା ଯାଏଁ ଖୋଲା ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ପ୍ରାୟ ୧୦ଟାରୁ ହିଁ ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ଶୁନ୍‌ଶାନ ରହୁଛି ।

ଏପ୍ରିଲ ମାସ ଆରମ୍ଭରୁ ଖରାର ପ୍ରକୋପ ଆରମ୍ଭ ହୋଇଥିଲେ ମଧ୍ୟ ମଝିରେ ମଝିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ କୁଆପଥର ମାଡ଼ କାରଣରୁ ଗ୍ରୀଷ୍ମର ପ୍ରକୋପ ସେଭଳି ଜଣାପଡ଼ିନଥିଲା । ଗତ ୫ ଦିନ ହେଲା ଖରାର ପ୍ରକୋପ ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ୩ ଦିନ ଧରି ସହରର ତାପମାତ୍ରା ୩୯ ଂ ରହିଥିବା ବେଳେ ଗତ ଦୁଇ ଦିନ ଧରି ତାପମାତ୍ରା ବୃଦ୍ଧି ପାଇ ୪୦ଂ ରେ ପଂହଚିଛି । ପାଣିପାଗ ବିଭାଗ ସୂଚନା ପ୍ରକାରେ ଏହା ଚଳିତ ମାସ ଶେଷଯାଏଁ ଲାଗିରହିବ । ଆଗକୁ ସ୍ଥାନୀୟ ସହରର ତାପମାତ୍ରା ରେକର୍ଡ଼ ଭାଙ୍ଗିବା ନେଇ ଏବେ ଠାରୁ ଆଶଙ୍କା କରାଯାଉଛି । ପ୍ରଚଣ୍ଡ ଖରା ଯୋଗୁଁ ଜଳସ୍ତର କମିବାରେ ଲାଗିଛି । ଗତବର୍ଷ ହିଂଜିଳିକାଟୁ ସହରରେ ତାପମାତ୍ରା ୪୪.୫ଂ ଛୁଇଁଥିଲା । ଆଗକୁ ସହରର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆବଶ୍ୟକ ପରିମାଣରେ ଗଛ ଲଗାଯିବା ସହ ସବୁଜ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନଥିବାରୁ ତାପମାତ୍ରା ବୃଦ୍ଧି ଅନ୍ୟ ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।      ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version