ନନ୍ଦିଘୋଷ ରଥର ୧୩ ଟି ତୁମ୍ବ ର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ୩ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି – ପୁରୀ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପୁରୀ :-  ସକାଳ ଘ.୯ଟା ସୁଦ୍ଧା ରଥ ଖଳାରେ ୭୩ ଜଣ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ଏବଂ ଜଣେ ସହାୟକଙ୍କର ଥର୍ମାଲ ସ୍କ୍ରିନିଂ କରା ଯାଇଥିଲା । ସେଥି ମଧ୍ୟରୁ ୩୮ ଜଣ ମହାରଣା,୧୭ ଜଣ ଭୋଇ ସେବକ, ୨ ଜଣ ତୁମ୍ବ ବିନ୍ଧ କାରିଗର, ୧୨ ଜଣ ଓଝା ବା କମାର ସେବକ ଏବଂ ୪ ଜଣ କରତି ସେବକଙ୍କୁ ମିଶାଇ ୭୩ ଜଣ ସହାୟକଙ୍କୁ ମିଶାଇ ସର୍ବ ମୋଟ ୭୪ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ । ଆଜି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ମୋଟ ୪୨ ତୁମ୍ବ ମଧ୍ୟରୁ ୩୪ ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇଛି, ଦେବୀ ରଥର ମୋଟ ୧୨ ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ, ନନ୍ଦିଘୋଷ ରଥର ୧୩ ଟି ତୁମ୍ବ ର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ୩ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି,

ଏବଂ ତାଳଦ୍ୱାଜ ରଥର ୯ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରହିଛି ଏବଂ ବାକି ଦୁଇଟି ତୁମ୍ବ ନିର୍ମାଣ ପାଇଁ ଆବଶ୍ୟକ କାଠ କଟକ ସ ମିଲରୁ ଆସୁଅଛି ତାହା କଟିଙ୍ଗ ହୋଇ ତୁମ୍ବ ଗୋଲେଇ କରଣର ପ୍ରାଥମିକ କାର୍ଯ୍ୟଶେଷ ପାଇଁ ଯୋଜନା ରହିଛି । ଆସନ୍ତାକାଲି ଠାରୁ ତୁମ୍ବରେ ସୁତା ବାଡ଼ିଆ ଏବଂ ଠେକ ତୁଲିଆ କାର୍ଯ୍ୟ ଆରମ୍ଭ ହେବ । ଆଜି ଦୋଳବେଦିସ୍ଥ ଅସ୍ଥାୟୀ କମାର ଶାଳାରେ ପ୍ରତ୍ୟେକ ରଥର ଦୁଇଟି ଚକ ପାଇଁ ଆବଶ୍ୟକ ଅରକଣ୍ଟା ପ୍ରସ୍ତୁତ ହୋଇଥିବା ବେଳେ ୭ଟି ପନ୍ଦାରି ନିର୍ମାଣ ସରିଛି । ଏଥି ସହ ଆଜି ଅପରାହ୍ନ ୫ଘଣ୍ଟା ସମୟରେ ଜିଲ୍ଲାପାଳ ରଥ ନିର୍ମାଣକାରୀ ମହାରଣା, ଭୋଇ ସେବକମାନଙ୍କୁ କରୋନା ରୋଗ ଭୟବହତାରୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ,

ଏହି କରୋନା ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର ଉନୟନ ପ୍ରଶାସକ ରଥ ନିର୍ମାଣକାରୀ ସେବକମାନଙ୍କୁ କରନା ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଶେଷରେ ଜିଲ୍ଲାପାଳ ସମସ୍ତ ନିର୍ମାଣକାରୀଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ଟୀକା ନେଇନଥିବା ମହାରଣା ସେବକମାନଙ୍କୁ କାଲିଠାରୁ କରୋନା ଟୀକା ନେବାପାଇଁ ପରାମର୍ଶ ଦେଇଥିଲେ । ଆଜି ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରଥଖଳାରେ କାମ କରୁଥିବା ସବୁ ସେବାୟତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ସମସ୍ତଙ୍କୁ ଏନ୍-୯୫ ମାସ୍କ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ସେମାନଙ୍କ ଟେଷ୍ଟିଂ ଓ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରତିଦିନ ରଥକାମର ସମୀକ୍ଷା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ମୋଟାମୋଟି ଭାବେ କୋଭିଡ୍ କଟକଣା ଭିତରେ ସୁରକ୍ଷିତ ଓ ଶୃଙ୍ଖଳାର ସହ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସବୁପ୍ରକାର ଉଦ୍ୟମ ହେଉଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ରଥଖଳା ଭିତରକୁ ରଥକାମରେ ସଂପୃକ୍ତ ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପ୍ରବେଶ କଟକଣା ଲାଗିଛି । ସନ୍ଦିଗ୍ଧ ସେବାୟତଙ୍କ ଟେଷ୍ଟ କରାଯାଇ ପ୍ରଥମେ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି । ନେଗେଟିଭ୍ ଥିଲେ ପୁଣି ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଉଛି । ପଜିଟିଭ୍ ଚିହ୍ନଟ ହେଉଥିବା ସେବାୟତଙ୍କୁ ନୀଳାଚଳ ଭକ୍ତ ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ, କଡ଼ା କଟକଣା ସତ୍ତ୍ୱେ ଇତିମଧ୍ୟରେ ରଥଖଳାରେ ନିୟୋଜିତ ୮୮ ସେବାୟତଙ୍କ ମଧ୍ୟରୁ ୮ ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ଥାଇ କାମ କରୁଥିବା ୩ ମହାରଣା ଓ ୫ ଜଣ ସେବାୟତଙ୍କୁ କରୋନା ହୋଇଛି ।

Exit mobile version