ହିଞ୍ଜିଳିକାଟୁ ପୌରାଂଚଳରେ ଅମ୍ଳଜାନ ସ୍ତର ଯାଂଚ ପ୍ରକିୟା ଆରମ୍ଭ ହେଲା ସପ୍ତାହେ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ହିଞ୍ଜିଳିକାଟୁ :-  ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଉଦ୍ଧ୍‌ର୍ ପାର ହେଉଥିବା ବେଳେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରେଟିଙ୍ଗ(୩ଟି)କୁ ରାଜ୍ୟ ସରକାର ଗୁରୁୂତ୍ୱାରୋପ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୈନିକ ସଂକ୍ରମଣ ୩ଅଙ୍କ ରହି ଆସୁଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଉଚିତ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ସଂକ୍ରମିତଙ୍କୁ ଚିହ୍ନଟ ସକାଶେ ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକିୟାକୁ ପ୍ରାଥମିକତା ପ୍ରଦାନ କରାଯାଇଛି । ଏଥି ସହିତ ଟୀକାକରଣ ପ୍ରକିୟା ଆରମ୍ଭ କରାଯାଇ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି କ୍ରମରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିିଛି । ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଯେପରି ବୃଦ୍ଧି ନପାଏ ସେଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ଗୁରୁତ୍ୱାରାପେ କରି ଆସୁଛନ୍ତି । ବାସ୍ତବ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ କିଛି କ୍ଷେତ୍ରୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଚିହ୍ନଟ ପ୍ରକିୟା ବାଧାପ୍ରାପ୍ତ ହୋଇଛି । ସହରାଂଚଳ ପରେ କରୋନା ସଂକ୍ରମଣ ଗାଁ ମୁହାଁ ହେବାରେ ଲାଗିଛି । ଏଣୁ ଅମ୍ଳଜାନ ସ୍ତର ଓ ଥର୍ମାଲ ସ୍କ୍ରିନିଂ ଯାଂଚ ପ୍ରକିୟାକୁ ବ୍ୟାପକ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ନେଇ ଜିଲ୍ଲାର ସମସ୍ତ ବିଡ଼ିଓ, ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧମ୍ରରେ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ପୌରାଂଚଳରେ ଅମ୍ଳଜାନ ସ୍ତର ଯାଂଚ ପ୍ରକିୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଡ଼ାକ୍ତର, ସ୍ୱଚ୍ଛ ସାଥୀ, ସୁପର ଭାଇଜର ମାନେ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ଯାଇ ଘରକୁ ଘର ବୁଲି ପରିବାରର ସମସ୍ତ ସଦସ୍ୟଙ୍କ ଅମ୍ଳଜାନ ସ୍ତର ଯାଂଚ କରାଯିବା ସହ ଅମ୍ଳଜାନ ସ୍ତର କମ୍ ଦେଖାଦେଲେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ ଏବଂ ଅତ୍ୟାବଶ୍ୟକ ହେଲେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କୁହଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ପୌରାଂଚଳର ସମସ୍ତ ପରିବାରର ଅମ୍ଳଜାନ ସ୍ତର ଯାଂଚ ପ୍ରକିୟା ଶେଷ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ଉକ୍ତ ଯାଂଚ କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ର, ଡ଼ାକ୍ତର ଦିପ୍ତି ରଞ୍ଜନ, ସନ୍ଧ୍ୟାରାଣୀ ପଟ୍ଟନାୟକ, ରାମକୃଷ୍ଣ ଦାସ, ଇ.କିଶାନ କୁମାର ପାତ୍ର, ଉର୍ମିଳା ନାଇକ, ସଂଯୁକ୍ତା ସେଠି, ଆର୍ଯ୍ୟବାଳା ସାହୁଙ୍କ ସମେତ ପୌର ପରିଷଦରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ସୁପର ଭାଇଜର ମାନେ ଅଂଶ ଗ୍ରହଣ କରିଥିଲେ ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version