ଅନ୍‌ଲାଇନ ଗ୍ରୋସରି ସାମଗ୍ରୀ କିଣି ଫସିଗଲେ, ସାଇବର୍‌ ଠକ ଲୁଟିନେଲେ ୧୦ ହଜାର ଟଙ୍କା

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ବାଲିଅନ୍ତା :- ଅନ୍‌ଲାଇନରେ ଗ୍ରୋସରି ସାମଗ୍ରୀ କିଣି ଫସିଗଲେ ଜଣେ ବରିଷ୍ଠ ନାଗରିକ। ସାଇବର ଠକ ଲୁଟି ନେଇଛନ୍ତି ୧୦ ହଜାର ଟଙ୍କା । ଏ ନେଇ ଠକାମିର ଶିକାର ହୋଇଥିବା ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ଅଞ୍ଚଳରେ ରହୁଥିବା ଶିବପ୍ରସାଦ ଆଚାର୍ଯ୍ୟ ଅନ୍‌ଲାଇନରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାପଡ଼ିଛି, ଶିବପ୍ରସାଦ ଏକ ରାଜଧାନୀର ଜଣାଶୁଣା ସପିଂ ମଲରୁ ଗତ ୨ ତାରିଖରେ ଅନଲାଇନ୍ ଯୋଗେ ଗ୍ରୋସରି ସାମଗ୍ରୀ କିଣିଥିଲେ। ଏଥିପାଇଁ ଆଗୁଆ ଟଙ୍କା ମଧ୍ୟ ଦେଇଥିଲେ ।

ପରେ ଏହାକୁ ବାତିଲ କରି ଦେଇଥିଲେ । କିନ୍ତୁ ଟଙ୍କା ଫେରସ୍ତ ପାଇ ନ ଥିଲେ । ଗତ ୧୬ ତାରିଖରେ ତାଙ୍କ ନିକଟକୁ ଏକ ଫୋନ୍ କଲ ଆସିଥିଲା଼ । ଏହି କାରବାର ସମ୍ପର୍କରେ ଫୋନ୍ କରିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲା । କିଛି ତଥ୍ୟ ଦେଲେ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଥିଲା । ଏହି ଆଳରେ ଶିବପ୍ରସାଦଙ୍କର ନାଁ, ଫୋନ୍ ନମ୍ବର, ଆକାଉଣ୍ଟ ନମ୍ବର ସମସ୍ତ ତଥ୍ୟ ନେଇ ଯାଇଥିଲା । ଏହା ପରେ ଏକ ଓଟିପି ଫୋନକୁ ଆସିଥିଲା । ସେହି ଓଟିପିକୁ ମଧ୍ୟ ମାଗି ନେଇଥିଲା । ଶିବ ପ୍ରସାଦଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କ’ଣ ଓଲଟା ୧୦ ହଜାର ଟଙ୍କା କଟି ଯାଇଥିଲା । ଏ ନେଇ ସେ ସାଇବର ହେଲ୍‌ପ ଡେସ୍କ ଓ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Exit mobile version