ଲକଡ଼ାଉନରେ ଅଘୋଷିତ ବିଦ୍ୟୁତ କାଟ : ଜନ ଅସନ୍ତୋଷ ବଢୁଛି

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :-  ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ନାଇଟକର୍ଫ୍ୟୁ ସମେତ ଲକଡ଼ାଉନ ଓ ସପ୍ତାହନ୍ତ ସଟଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ଏପରିକି ବିନା କାରଣରେ ଘରୁ ବାହାରକୁ ବାହାରିଲେ ଜରିମାନା ଦେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଲୋକେ କରୋନା ଭୟ ସାଙ୍ଗକୁ ଜରିମାନାକୁ ଭୟ କରି ବାଧ୍ୟ ହୋଇ ଘରେ ରହୁଛନ୍ତି । ବର୍ତମାନ ସ୍ଥିତିରେ ବିଦ୍ୟୁତ ସରବରାହ ବିଛିନ୍ନ ନକରିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଦ୍ୟୁତ କାଟ ସକାଶେ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ । ପ୍ରତି ୧୫ ମିନଟ ବ୍ୟବଧାନ ରେ ୩ରୁ ୪ ମିନଟ ପାଇଁ ବିଦ୍ୟୁତ କାଟ କରାଯାଉଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ କାଟ ଲୋକଙ୍କୁ ଭାରି ବାଧୁଛି ।

ଏଭଳି ପରିସ୍ଥିତିରେ ଟିପିସିଓଡ଼ିଏଲର ନିରବତା ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପ୍ରତି ମାସରେ ବିଦ୍ୟୁତ ବିଭାଗ ରକ୍ଷଣାବେକ୍ଷଣ ଓ ଆବଶ୍ୟକୀୟ ମରାମତି କାର୍ଯ୍ୟ ପାଇଁ ମଙ୍କସର ଗୋଟାଏ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଛି । ତଥାପି ଗତ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଦିନ ଧରି ସ୍ଥାନୀୟ ଅଂଚଳରେ ବାରମ୍ବାର ଅଘୋଷିତ ଭାବେ ବିଦ୍ୟୁତ କାଟ କରାଯାଉଛି । ସ୍ଥାନୀୟ ଅଂଚଳରେ ସାମାନ୍ୟ ପବନ ବୋହିଲେ ଘଂଟା ଘଂଟା ଧରି ବିଦ୍ୟୁତ ବିଛିନ୍ନ କରି ଦିଆଯାଉଛି । କଙ୍କଡ଼ାକୁ ଗୋଳି ପାଣି ସୁହାଇବା ଭଳି ବର୍ଷା, ପବନ ବିଦ୍ୟୁତ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଟିପିସିଓଡ଼ିଏଲର ହିଞ୍ଜିଳିକାଟୁ ଡ଼ିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶଙ୍କ ସହ ଯୋଗାଯ୍ଧେଜ୍ଞ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।     (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version