ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ସହରାଂଚଳ ପରେ ଗ୍ରାମାଂଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବିଭିନ୍ନ ଗ୍ରାମାଂଚଳରେ ଏଭଳି କିଛି ପରିବାର ଅଛନ୍ତି, ଯେଉଁମାନେ କି ପ୍ରତିଦିନ କେଉଁଠି ନା କେଉଁଠି ଶ୍ରମଦାନ କରି କିମ୍ବା କ୍ଷୁଦ୍ର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି ।
