ଘରୋଇ ହସ୍ପିଟାଲ କୋଭିଡ୍‌-୧୯ ରୋଗୀମାନଙ୍କୁ କିପରି ବ୍ୟବହାର କରୁଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ଭୁବନେଶ୍ୱର :- ଘରୋଇ ହସ୍ପିଟାଲ କୋଭିଡ୍‌-୧୯ ରୋଗୀମାନଙ୍କୁ କିପରି ବ୍ୟବହାର କରୁଛନ୍ତି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନକୁ ମାନିବାକୁ ସେମାନେ ବାଧ୍ୟ। ଯଦି କୌଣସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି କିମ୍ବା ରୋଗୀଙ୍କ ଠାରୁ ନିର୍ଦ୍ଧାରିତ ଫି’ଠାରୁ ଅଧିକ ନେଉଛନ୍ତି ତେବେ ସମ୍ପୃକ୍ତ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲାପାଳ ଓ ଏସ୍‌ପିମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ମାସକ ମଧ୍ୟରେ ରାଜ୍ୟର ଅନେକ ଜିଲାରେ କୋଭିଡ୍‌ ମହାମାରୀ ସଂକ୍ରମଣ ବଢ଼ିଚାଲିଛି। କୋଭିଡ୍‌ ଯୋଦ୍ଧା ଏବଂ ଲୋକମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ପରିଚାଳନା କରିବାରେ ସକ୍ଷମ ହୋଇପାରିଛୁ। କିନ୍ତୁ ଚ୍ୟାଲେଞ୍ଜ ବହୁତ ବଡ଼ ଏବଂ ଯୁଦ୍ଧ ବହୁତ ଲମ୍ବା।
ସଂକ୍ରମଣକୁ କମାଇବା ପାଇଁ ଦୁଇ ସପ୍ତାହ ଲାଗି ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଯଦିଓ ଏହା ଠିକ୍‌ ଭାବେ ଚାଲିଛି ତେବେ କେତେକ ସ୍ଥାନରେ ଏହାକୁ ଆହୁରି କଡ଼ାକଡ଼ି କରିବା ଦରକାର । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ହେଉଛି ଏକ ରାଜ୍ୟ ଯେଉଁଠି ଲୋକମାନଙ୍କୁ ମାଗଣାରେ ଟେଷ୍ଟିଂ କରିବା ସହ ରହିବା, ଖାଇବା, ଔଷଧ ଇତ୍ୟାଦି ମାଗଣାରେ ଯୋଗାଇ ଦିଆଯାଉଛି ।

ରାଜ୍ୟ ସରକାର ଏଥିପାଇଁ ବହୁ ସମ୍ବଳ ଖର୍ଚ୍ଚ କରୁଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବା ନେଇ ନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋ ସରକାର ଅଧୀନରେ ରୋଗୀମାନଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି। ଆଗାମୀ ଦିନରେ ଏହା ଜାରିରହିବ। ଅଗ୍ନି ନିରାପତ୍ତା ଏବଂ ମେଡିକାଲ ଅକ୍ସିଜେନ ମହଜୁଦ ରଖିବା ଜିଲା ଟିମ୍‌ ପାଇଁ ପ୍ରାଥମିକତା। ଏହାକୁ ୨୪ ଘଣ୍ଟା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟେଷ୍ଟିଂ, ଟ୍ରେସିଂ ଏବଂ କଣ୍ଟେନମେଣ୍ଟ ପୂରାଦମରେ ଚଳାଇବା ସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ସ୍ବତନ୍ତ୍ର ଫୋକସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଯେଉଁ ଡାକ୍ତରମାନେ ଆଇସିୟୁ ଏବଂ ଏଚ୍‌ଡିୟୁ ପରିଚାଳନା କରୁଛନ୍ତି ସେମାନଙ୍କଠାରୁ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରିବାକୁ କୁହାଯାଇଛି। ଟିକାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଜୋରସୋରରେ ଚଳାଇବା ସହ ବୃଦ୍ଧାବୃଦ୍ଧ ଏବଂ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଟିକାକରଣ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ମାତ୍ରାରେ ଟିକା ଯୋଗାଇବାକୁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ହେଲ୍‌ପଲାଇନ ସୁଦୃଢ଼ କରିବା ସହ ପରିବାରବର୍ଗଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version