କରୋନା କାଳରେ ଦୁଇ ତହସିଲ କର୍ମଚାରୀଙ୍କ ପ୍ଳାଜମା ଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ହିଞ୍ଜିଳିକାଟୁ  :-  ସମ୍ପ୍ରତି ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସଂକ୍ରମଣ ତୀବ୍ରତର ହୋଇଛି।କିଛି ଜିଲ୍ଲାର ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିରେ ଥିବା ବେଳେ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ ସଂଖ୍ୟା ୪ ଅଙ୍କ ଛୁଇଁଛି।ଗତ କାଲି ସୁଦ୍ଧା ସୁନ୍ଦରଗଡକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା ତାଲିକାର ଶୀର୍ଷରେ ରହିଛି।ସରକାରୀ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୫୧୧ ଥିଲା ବେଳେ ସୁନ୍ଦରଗଡ ଜିଲ୍ଲାରେ ୧୦୧୮ଜଣ ପଜିଟିଭ ଥିବା ଜଣାପଡିଛି।କରୋନା ର ବେହାଲ ସ୍ଥିତିକୁ ମାତ ଦେବାପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଦୃତ ଟୀକା କରଣ ପ୍ରକ୍ରିୟା।ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସ୍ଥିତି କ୍ରମଶଃ ବୃଦ୍ଧି ପାଇବା ଜଣାପଡିଛି।ଗତ କାଲି ଜିଲ୍ଲାର ୨୭୬ ଜଣ ପଜିଟିଭ ଥିବା ବେଳେ ହିଞ୍ଜିଳିକାଟୁରେ ପଜିଟିଭ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ପୋୖରାଞ୍ଚଳରେ ଗତ କାଲି ସୁଦ୍ଧା ୫ ଟି ସାହି ମିନି କଣ୍ଟେନମେଣ୍ଟ ଜୋନ ରୂପେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।ସ୍ଥାନୀୟ ସହର ସମେତ ଶିକିରି,ସୋମପୁର ଓ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।ରାଜ୍ୟରେ ବ୍ୟାପକ ମାତ୍ରାରେ ଟୀକାକରଣ ସହ ସରକାରୀ କୋଭିଡ ଚିକିତ୍ସା କେନ୍ଦ୍ର ଓ ବେସରକାରୀ ଚିକିତ୍ସାଳୟରେ ବହୁ ସଂକ୍ରମିତ ସୁସ୍ଥ ହୋଇ ଫେରୁଥିବା ବେଳେ ଅତି ଗୁରୁତର ସଂକ୍ରମିତ ମୃତ୍ୟୁବରଣ କରୁଥିବା ଜଣାପଡିଛି।ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ ସକାଶେ ପ୍ଲାଜମା ଦେବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆହ୍ୱାନ ଦେଇଛନ୍ତି।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ଳାଜମା ଦାନ ସକାଶେ ଉତ୍ସାହିତ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳି କାଟୁ ତହସିଲ କାର୍ଯ୍ୟାଳୟର ୨ ଜଣ କର୍ମଚାରୀ ପ୍ଳାଜମା ଦାନ ନିମନ୍ତେ ଆଗେଇ ଆସିଛନ୍ତି।ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ହିସାବ ଅଧିକାରୀ ତଥା ପ୍ଲାଜମା ନୋଡାଲ ଅଧିକାରୀ ଦିବ୍ୟସିଂହ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ କର୍ମଚାରୀ ପ୍ଲାଜମା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଦୁଇ ତହସିଲ କାର୍ଯ୍ୟାଳୟର ନାଲୁ ଶବର ଓ ଭିକାରୀ ପ୍ରଧାନ ମଙ୍ଗଳବାର ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଯାଇ ପ୍ଳାଜମା ଦାନ କରିଛନ୍ତି। ପ୍ଳାଜାମା ଦାନ କରିବା ପରେ କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ମାନଙ୍କୁ ପ୍ଳାଜମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ସଂପୃକ୍ତ ଦୁଇ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ,ଏବିଡ଼ିଓ ଅରୁଣ କୁମାର ପ୍ରଧାନ ଓ ଡି. ଗୋପାଳ ରେଡ୍ଡୀ ପ୍ରମୁଖ ସେମାନଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି।                     ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version