ପଂଚସୂତ୍ରୀ ନିୟମକୁ ଅବମାନାନା ୨ ପରିବା ଦେକାନ ସିଲ୍ , ଚାହା ଦୋକାନୀ ଠାରୁ ଜରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ହିଞ୍ଜିଳିକାଟୁ  :-  କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସମଗ୍ର ଦେଶବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି । କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ ଶେଷ ସପ୍ତାହରୁ ସହରାଂଚଳରେ ସପ୍ତାହନ୍ତ ୨ ଦିନିଆ (ଶନି ଓ ରବିବାର) ସଟଡ଼ାଉନ ଘୋଷଣା କରାଯିବା ସହ ଚଳିତ ମାସ ୫ ତାରିଖ ଠାରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ସମ୍ପ୍ରତି ଲକଡ଼ାଉନ ସମୟରେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ମାସ୍କ ବ୍ୟବହାର ଓ ସାମାଜିକ ଦୁରତ୍ୱ ରକ୍ଷାକୁ ଗୁରୁତ୍ୱାରୋପ କରାଯାଇଛି । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଂଚସୂତ୍ରୀ ନିୟମ ପାଳନ କରିବା ପାଇଁ କଡ଼ା ଚେତାବନି ଦିଆଯାଇଛି । ବୁଧବାର ସକାଳେ ସ୍ଥାନୀୟ ପୌରାଂଚଳ ପରିବା ବଜାରରେ ୨ ପରିବା ଦେକାନୀ କୋଭିଡ଼ ନିୟମକୁ ଉଲଂଘନ କରି ବ୍ୟବସାୟ କରୁଥିବାରୁ ସଂପୃକ୍ତ ୨ ପରିବା ଦୋକାନକୁ ସିଲ୍‌ କରାଯାଇଛି ।

ଲକଡ଼ାଉନ ସମୟରେ ଚାହା, ପାନ ଦୋକାନ ବନ୍ଦ ରଖିବା ପାଇଁ ନିୟମ ରହିଥିବା ବେଳେ ସ୍ଥାନୀୟ ଲକ୍ଷ୍ମୀ ବଜାରର ଏକ ଚାହା ଦୋକାନୀ ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ଦୋକାନୀ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଥର୍ମୋଫ୍ଲାସ, ଏକକ ବ୍ୟବହୃତ ଚାହା କପ୍ ଜବତ କରାଯାଇଥିଲା । ସଂପୃକ୍ତ ଚାହା ଦୋକାନୀ ମାଲିକଙ୍କ ବିରୋଧରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଆଗାମୀ ଦିନରେ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ଦୋକାନୀ ମାଳିକଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ କହିଛନ୍ତି । ଚଢାଉରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏଏସଆଇ ବବିତା ଚୌଧୁରୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।   ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version