ବଦଳିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ଭୁବନେଶ୍ୱର :- ବଦଳିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର । ବିଏମ୍‌ସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ସିଂହ ହେଉଛନ୍ତି ୧୯୯୭ ବ୍ୟାଚ୍‌ର ଆଇଏଏସ୍ ଅଫିସର ।

ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ ସହିତ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ତା’ସହିତ ତାଙ୍କୁ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଅନ୍ୟପକ୍ଷରେ ୨୦୧୦ ବ୍ୟାଚ୍‌ର ଆଇଏଏସ୍ ଅଫିସର ପ୍ରେମଚାନ୍ଦ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଓଏସ୍‌ଡି ଭାବେ ନୂଆ ନିଯୁକ୍ତି ମିଳିଛି ।

ସଞ୍ଜୟ କୁମାର ସିଂହଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ୧୯୯୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ସହିତ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଥିଲେ ସଞ୍ଜୟ କୁମାର ସିଂହ। ସେହିପରି ସେ ଇଡ୍‌କୋର ସିଏମ୍‌ଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ନୂଆ ନିର୍ଦ୍ଦେଶନାମା ଅନୁସାରେ ଏବେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଇଡ୍‌କୋର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version