କରୋନାରେ ଅଧିକ ପ୍ରଭାବିତ ଜିଲ୍ଲାରେ ଲକଡାଉନ୍‌ ଆବଶ୍ୟକ ରହିଛି

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ନୂଆଦିଲ୍ଲୀ :- ଦେଶରେ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ସେଠି ୬ରୁ ୮ ସପ୍ତାହ ଲକଡାଉନ୍‌ ଦରକାର। ଆଜି ଏଭଳି କିଛି କହିଛନ୍ତି ICMR ଡିଜି ଡାକ୍ତର ବଳରାମ ଭାର୍ଗବ। ଏବେ ସାରା ଦେଶର ୭୧୮ ଜିଲ୍ଲାରେ ୧୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହର ରହିଛନ୍ତି। ତାସହ ଯେଉଁ ସବୁ ରାଜ୍ୟରେ ଲକଡାଉନ୍‌ ହେଉଛି ସେଠି ଲମ୍ବା ସମୟ ଧରି କଟକଣା ଲାଗିବା ଜରୁରୀ, ଏହା ହେଲେ ହିଁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି କହିଛନ୍ତି ଡାକ୍ତର ଭାର୍ଗବ  ।
 

ତେବେ ୧୦ ପ୍ରତିଶତରୁ କମ ସଂକ୍ରମିତ ଥିବା ଜିଲ୍ଲାରେ କିନ୍ତୁ ଲକଡାଉନ୍‌ର ଆବଶ୍ୟକତା ନାହିଁ ବୋଲି ଦୋହରାଇଛନ୍ତି ସେ। ହେଲେ କଟକଣାକୁ କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ଏବେ ପ୍ରାୟ ସମସ୍ତ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି। କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର, ଦିଲ୍ଲିରେ ଲକଡାଉନ୍‌ ଅବଧିକୁ ବଢ଼ାଯାଇଥିବା ବେଳେ ତେଲେଙ୍ଗାନାରେ ୧୦ ଦିନିଆ ଲକଡାଉନ୍‌ ଆଜିଠୁ ଆରମ୍ଭ ହୋଇଛି ।

ତେବେ ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛି ମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ତେବେ ୨ଦିନ ପାଇଁ ବୁଧବାର ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ୱାର୍ଲ୍ଡୋମିଟର ୱେବସାଇଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୮ ହଜାର ୫୨୯ ମାମଲା ସାମ୍ନାକୁ ଆସିଛି । ତେବେ ଏହି ସମୟ ମଧ୍ୟରେ ୪୨୦୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୩ ଲକ୍ଷ ୫୫ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଡାକ୍ତର, ବିଶେଷଜ୍ଞ । ମଙ୍ଗଳବାର ଦେଶରେ ୩୮୭୬ ରୋଗୀ ଆଖି ବୁଜିଥିବାବେଳେ ଆଜି ୪ ହଜାର ଟପିଛି ।

ଏପଟେ, ରାଜ୍ୟରେ ବେଲଗାମ୍ ହୋଇଥିବା କରୋନା ସଂକ୍ରମଣରେ ଲଗାମ୍ କସିବାକୁ ଫେରିଲା ଲକଡାଉନ୍‌। ୫ ରୁ ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହୋଇଛି। ମୁଖ୍ୟ ଶାସନ ସଚିବ ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିବା ସହିତ ଏଥିପାଇଁ ଜାରି ନିୟମାବଳୀ ସଂପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ଯାତ୍ରୀବାହୀ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିଛି। ତେବେ ଲୋକମାନେ ଘରଠାରୁ ୫୦୦ ମିଟର ଦୂର ଭିତରେ ଚାଲି ଚାଲି ଯାଇ ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରୁଛନ୍ତି। ତେବେ ଲକଡାଉନ୍‌ ସମୟରେ ଟିକାକରଣ ଓ ଟେଷ୍ଟିଂ ଜାରି ରହିଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version