କରୋନା ସଂକ୍ରମିତ ହୋଇ ; ୧୦ ବର୍ଷର ଶିଶୁ ରବିବାର ବିଳମ୍ବିତ ସନ୍ଧ୍ୟାରେ – ଏମ୍‌କେସିଜି ଶିଶୁ ବିଭାଗରେ ମୃତ୍ୟୁ ଘଟିଛି 

ଓଡ଼ିଶା ତାଜା ନ୍ୟୁଜ୍ (୧୧ ମଇ ମଙ୍ଗଳବାର ) ଛତ୍ରପୁର :- କରୋନା ସଂକ୍ରମିତ ହୋଇ ବ୍ରହ୍ମପୁରର ଜଣେ ୧୦ ବର୍ଷର ଶିଶୁ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏମ୍‌କେସିଜି ଶିଶୁ ବିଭାଗରେ ମୃତ୍ୟୁ ଘଟିଛି । ମୃତକହେଲେ ବ୍ରହ୍ମପୁର ହାଉସିଂ ବୋର୍ଡର କୈଳାଶ ନାୟକ । କରୋନାରେ ସଂକ୍ରମିତ ହୋଇ କୌଣସି ଶିଶୁ ପ୍ରାଣ ହରାଇବାରେ ଗଞ୍ଜାମ ଜିଲ୍ଲାରେ ଏହା ସର୍ବପ୍ରଥମ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାପାଳଙ୍କ ସୂଚନା ମୁତାବକ ଶିଶୁଟି ହେମୋଫିଲିଆ ଏବଂ କେଟୋସିସ୍‌ ରୋଗରେ ପୀଡ଼ିତ ଥାଇ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ ।

ଅବସ୍ଥା ଗୁରୁତର ହେବାରୁ ଶନିବାରତାକୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ପୂର୍ବାହ୍ଣରେ କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିବା ପରେ କୈଳାଶଙ୍କୁ ଡେଡିକେଟେଡ୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ନିୟୋଜିତ ଶିଶୁ ରୋଗ ଚିକିତ୍ସକଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଥିଲା । ଏପରିକି ଅକ୍ସିଜେନ୍‌ ମଧ୍ୟ ଯୋଗାଣ ହେଉଥିଲା । ତଥାପି ତାଙ୍କରସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ତାଙ୍କୁ ବଞ୍ଚାଇବା ଦିଗରେ ଆପ୍ରାଣ ଚେଷ୍ଟାବିଫଳ ହୋଇଥିଲା ।

ରବିବାର ସନ୍ଧ୍ୟା ୭.୪୦ରେ କୈଳାଶଙ୍କ ଦେହାନ୍ତ ହୋଇଥିଲା । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛିକି-ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଛନ୍ତି, ସେମାନେସମ୍ପୂର୍ଣ୍ଣ ରୂପେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ କରୋନା ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ସମସ୍ତ ନୀତି ନିୟମ ଅନୁପାଳନ କରନ୍ତୁ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version