କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ – ବ୍ଲାକ୍ ଫଙ୍ଗସ୍

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଭୁବନେଶ୍ୱର :- କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ- ବ୍ଲାକ୍ ଫଙ୍ଗସ୍ । ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି। ଯଦିଓ ଓଡ଼ିଶାରେ ଏହା କୌଣସି କରୋନା ଆରୋଗ୍ୟଙ୍କଠାରେ ଦେଖାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇନାହିଁ, ତଥାପି ଏହା କାହିଁକି ହୁଏ, କେଉଁମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ, ଏହାର ଲକ୍ଷଣ କଣ ଓ କେମିତି ଏଥିରୁ ବର୍ତ୍ତିବେ? ଜାଣି ରଖନ୍ତୁ….

କରୋନାରୁ ସୁସ୍ଥ ହେବା ପରେ ବି, ଚିନ୍ତା ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍। କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗ ଓ କିଡ୍ନୀ ସମସ୍ୟା ଥିବା ବ୍ୟକ୍ତି ସାବଧାନ ରୁହନ୍ତୁ । କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଏଭଳି ଲୋକଙ୍କୁ, ସହଜରେ ଆକ୍ରମଣ କରୁଛି। ବ୍ଲାକ୍ ଫଙ୍ଗସ୍ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସଫୁସ୍‌ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି ଏହି ଫଙ୍ଗାଲ୍ ଇନଫେକସନ୍‌। ଯଦିଓ ଏହା କିଛି ନୂଆ ରୋଗ ନୁହେଁ, ତଥାପି କରୋନା କାଳରେ ବହୁଗୁଣ ବଢ଼ିଯାଇଛି ଏହାର ପ୍ରାଦୁର୍ଭାବ।

ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଏଭଳି ଫଙ୍ଗାଲ୍ ଇନଫେକସନ୍‌ ହେବାର ଆଶଙ୍କା ବଢ଼ିଯାଏ। ଖାସ୍ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଏହି ସଂକ୍ରମଣ ହେବାର ଦେଖାଦେଉଛି। ବ୍ଲାକ୍ ଫଙ୍ଗସ୍ ବା ମ୍ୟୁୟୁର୍ମାଇକୋସିସ୍ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ, ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ।

Exit mobile version