ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ବଲାଙ୍ଗୀର :- ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର । ଜଣେ ଏସ୍‌ଡିଏମ୍‌ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି । ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର । ପାଟଣାଗଡ଼ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍‌ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଓ କିଛି ଟଙ୍କା ପକେଟରେ ଭର୍ତ୍ତି କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗ ଓପିଡିର ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା ।

ଏ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଲାଙ୍ଗିର ସିଡିଏମ୍‌ଓ ଡାକ୍ତର ଭୀମ ସାହୁ କହିଛନ୍ତି, ପାଟଣାଗଡ଼ ଏସଡିଏମଓ ଡାକ୍ତର ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ବଦଳି କରାଯାଇଛି । ତା’ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି । ସେହିପରି ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି । (ପାଟଣାଗଡ଼,ରିପୋର୍ଟ /ଗୋରେଖନାଥ ବରିହା)

Exit mobile version