
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ମସ୍କାଟ / ସୋହର / ନୂଆଦିଲ୍ଲୀ / ଭୁବନେଶ୍ୱର :- ଓମାନରେ ଅବସ୍ଥାପିତ ଓଡ଼ିଆ ସମ୍ପ୍ରଦାୟଙ୍କ ଦ୍ୱାରା ଅନ୍ଲାଇନ୍ ଯୋଗେ ୮୫ତମ ଉତ୍କଳ ଦିବସ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ରାଜଧାନୀ ମସ୍କାଟ ସ୍ଥିତ ଇଣ୍ଡିଆନ ସୋସିଆଲ୍ କ୍ଲବ୍ (ଆଇ.ଏସ୍.ସି) ର ଓଡ଼ିଆ ଶାଖା ଦ୍ୱାରା ଆୟୋଜିତ ଏହି ଭବ୍ୟ ଇଣ୍ଟରନେଟ୍ ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜ ମାନଙ୍କର କର୍ମକର୍ତ୍ତା, ପ୍ରବାସୀଓଡ଼ିଆ ତୁଙ୍ଗ ନେତୃବୃନ୍ଦ ଏବଂ ସମଗ୍ର ପୃଥିବୀର ବହୁ ବିଶିଷ୍ଟ ଓଡ଼ିଶା ପ୍ରେମୀ ଯୋଗ ଦେଇଥିବା ଦେଖାଯାଇଥିଲା ।
ଭିଡିଓ କନ୍ଫରେନ୍ସିଂ ଜରିଆରେ ମହୋତ୍ସବକୁ ସମ୍ବୋଧନ କରି ମୁଖ୍ୟ ଅତିଥି ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀ, କରୋନା ବିରୁଦ୍ଧରେ ବିଶ୍ୱଭରି ମାନବ ସମାଜ ସମ୍ମିଳିତ ଭାବେ ସଂଘର୍ଷ ଚଳାଇବାକୁ ଆହ୍ୱାନ ଜଣାଇଥିଲେ । ଭୂତାଣୁର ସଠିକ୍ ମୁକାବିଲା ପାଇଁ ଜନସାଧାରଣ ସେମାନଙ୍କର ସାଂସ୍କୃତିକ, ବିଜ୍ଞାନ, ଆଧ୍ୟାତ୍ମିକ ଓ ପ୍ରଶାସନିକ ଶକ୍ତିକୁ ଉଜାଗର କରିବାକୁ ଗୁରୁଜୀ ଆଗ୍ରହ ପ୍ରକାଶ କରିଥିଲେ । ବୈଠକରେ ଉଦ୍ବୋଧନ ଦେଇ ଓମାନ ଚେମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମହାମାନ୍ୟ ଇଞ୍ଜିନିୟର ରେଧା ବିନ୍ ଜୁମ୍ମା ଆଲ୍ସାଲେହ ଓମାନ ଓ ଭାରତ ମଧ୍ୟରେ ଥିବା ପାରମ୍ପରିକ ଓ ଅର୍ଥନୈତିକ ସମ୍ପର୍କ ଦୀର୍ଘ ହଜାର ବର୍ଷର ପୁରୁଣା ବୋଲି ଦର୍ଶାଇଥିଲେ ।
ଓମାନ ଓ ଓଡ଼ିଶା ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଥିବା ସୂଚାଇ ମହାମାନ୍ୟ ଆଲ୍ସାଲେହ, କୃଷି, ଯନ୍ତ୍ରପାତି, ଖଣି ଏବଂ କୁଶଳୀ ସେବା ପ୍ରଦାନ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ଦ୍ୱିାକ୍ଷିକ ସମ୍ପର୍କ ବୃଦ୍ଧି କରାଯିବାର ଆବଶ୍ୟକତା ରହିଥିବା ଉପରେ ଜୋର୍ ଦେଇଥିଲେ । ସମ୍ମାନିତ ଅତିଥି ଓମାନ ଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମହାମାନ୍ୟ ଶ୍ରୀ ମୁନୁ ମହାୱାର, ଓଡ଼ିଆ ଶାଖାର ସଦସ୍ୟମାନେ ବର୍ତ୍ତମାନର ଅଭାବନୀୟ ପରିସ୍ଥିତିରେ ଶାନ୍ତସିଷ୍ଟ, ଧର୍ଯ୍ୟବାନ ଓ ଆଶାବାଦୀ ରହି ସମାଜରେ ସାକାରାତ୍ମକ ବାତାବରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।
ଓଡ଼ିଶାର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀ ନବୀନ ପଟ୍ଟନାୟକଙ୍କର ସକଳ ନେତୃତ୍ୱରେ ରାଜ୍ୟ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ ବନିବା ସାଙ୍ଗକୁ ଲଗାତର ଭାବେ ୫ବର୍ଷ ଧରି କୃଷି ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇ ଆସୁଥିବା ଜଣାଇଥିଲେ । ଏବେକାର ସଙ୍କଟ କାଳରେ ଅନ୍ୟାନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ପଠାଇବା ସହିତ କରୋନା ରୋଗୀମାନଙ୍କୁ ମାଗଣାରେ ଚିକତ୍ସା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ କହିଥିଲେ ।
