କୋଭିଡ୍‌ ମୃତକଙ୍କ ଶବଠୁ ବି ଲୁଟ୍‌ କରିବାକୁ ପଛାଉ ନାହାନ୍ତି ଶିକ୍ଷିତ କର୍ମଚାରୀ – ସମ୍ବଲପୁର

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ସମ୍ବଲପୁର :- ପୁଣି ଥରେ ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ମୃତକଙ୍କ ଠାରୁ ମୋବାଇଲ୍‌, ଏଟିଏମ୍‌ କାର୍ଡ ଓ ଟଙ୍କା ଲୁଟ୍‌ କରି ନିଆଯାଇଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମୃତକଙ୍କ ପରିବାର ଲୋକେ ପଚାରିବାରେ,ହସ୍ପିଟାଲରେ ଭର୍ତ୍ତି ବେଳକୁ ତାଙ୍କ ନିକଟରେ କିଛି ନଥିବା କହି କେବଳ ତାଙ୍କ ପ୍ୟାଣ୍ଟକୁ ପରିବାର ଲୋକ ହାତରେ ଧରାଇ ଦେଇଥିବା ଅଭିଯୋଗ ହୋଇଛି । ସେପଟେ, ମୃତ ଶିକ୍ଷକଙ୍କ ପରିବାର ଲୋକେ ଏବେ ଶୋକ ସନ୍ତାପରେ ରହିଥିବାରୁ ଥାନାରେ ଲିଖିତ ଅଭିଯୋଗ ନକରି ଘରକୁ ଫେରିଯାଇଥିବା କହିଛନ୍ତି ।

ଅଭିଯୋଗ ଅନୁସାରେ, କୁଚିଣ୍ଡା ଅଞ୍ଚଳର ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇ ଘରେ ଥିବା ବେଳେ ୪ ତାରିଖ ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ତାଙ୍କୁ ଆଣି ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାକୁ ଆସିବା ବେଳକୁ ଶିକ୍ଷକଙ୍କ ନିକଟରେ ତାଙ୍କ ମୋବାଇଲ୍‌, ଏଟିଏମ୍‌ କାର୍ଡ ରହିଥିବା ବେଳେ କାଳେ କିଛି ଖର୍ଚ୍ଚ ଆବଶ୍ୟକ ହେବ ସେଥିପାଇଁ ପରିବାର ଲୋକେ ହାତରେ ନଗଦ ୩ ହଜାର ଟଙ୍କା ମଧ୍ୟ ଦେଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ସୂଚନା ପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ କେବଳ ଉକ୍ତ ଶିକ୍ଷକ ପିନ୍ଧିଥିବା ପ୍ୟାଣ୍ଟ ଖଣ୍ଡିକ ଦିଆଯାଇଥିଲା । ତେବେ ମୋବାଇଲ୍‌, ଏଟିଏମ୍‌ କାର୍ଡ ଓ ଟଙ୍କା ବାବଦକୁ ପଚାରିବାରେ ସେଭଳି କିଛି ତାଙ୍କ ନିକଟରେ ନଥିବା ଡାକ୍ତରଖାନା କର୍ମଚାରୀ କହିଥିବା ମୃତକଙ୍କ ଭଣଜା ଅଭିଯୋଗ କରିଛନ୍ତି । ତେବେ ପରିବାର ଲୋକେ ମୃତ ଶିକ୍ଷକଙ୍କ ଫୋନ୍‌ ନମ୍ବରରେ ଯୋଗାଯୋଗ କଲେ ଫୋନ୍‌ କିଛି ସମୟ ଧରି ରିଂ ହୋଇଥିଲା ଓ ପରେ କେହି ଫୋନ୍‌ କାଟି ଦେଉଥିବାର ଜଣାପଡ଼ିଥିଲା ।

ଏହାର କିଛି ସମୟ ପରେ ଫୋନ୍‌ ସୁଇଚ୍‌ ଅଫ୍‌ ହେବାରୁ ଆଉ ଯୋଗାଯୋଗ ହୋଇପାରିନଥିଲା । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କୋଭିଡ୍‌ ହସ୍ପିଟାଲକୁ ଫୋନ୍‌ କରାଯିବା ପରେ ମୃତ ଶିକ୍ଷକଙ୍କ ଫୋନ୍‌ ମିଳିଥିବା ନେଇ ତାଙ୍କ ପରିବାରଲୋକଙ୍କୁ ଫୋନ୍‌ କରାଯାଇଥିବା ବେଳେ ଟଙ୍କା ଓ ଏଟିଏମ୍‌ କାର୍ଡ ମିଳିନାହିଁ । କୋଭିଡ୍‌ ହସ୍ପିଟାଲରେ ଶବଠାରୁ ଲୁଟ୍‌ କିଛି ନୂଆ ଘଟଣା ନୁହେଁ ।

ଗତବର୍ଷ ସମ୍ବଲପୁରରେ କୋଭିଡ୍‌ ହସ୍ପିଟାଲ ହେବା ପରଠାରୁ ଏଭଳି ୩୦ରୁ ଅଧିକ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଅନେକ ଅଭିଯୋଗ ଏଯାବତ୍‌ ଜଣାପଡ଼ିନାହିଁ । କେତେବେଳେ ରୋଗୀଙ୍କ ବେକରୁ ଚେନ୍‌ ତ ଆଉ କେତେବେଳେ ହାତରୁ ସୁନା ମୁଦି ଓ ଗହଣା ଲୁଟ୍‌ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ୩ ଦିନ ତଳେ ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ବେକରୁ ମଧ୍ୟ ସୁନା ଚେନ୍‌ ଗାଏବ୍‌ ହୋଇଯାଇଥିବା ଅଭିଯୋଗ ହୋଇଥିଲା ।

Exit mobile version