ବିବାହ ପ୍ରସେସନ ବନ୍ଦ କରିବାକୁ ଯାଇ ତହସିଲଦାରଙ୍କୁ ମାରଣାତ୍ମକ ଆକ୍ରମଣ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । କୋଭିଡ ନିୟମ ଭାଙ୍ଗି ଗାଁରେ ଏକାଧିକ ବାହାଘର ପ୍ରସେସନ ଚାଲିଥିବା ବେଳେ ଆତସବାଜି ଫୁଟାଇବା ସହ ଭୋଜିଭାତର ଆସର ଚାଲିଥିଲା । ଘଟଣା ସ୍ଥଳରେ ଆର ଉଦୟଗିରି ତହସିଲଦାର ସୃତିରଞ୍ଜନ ଶତପଥି ଓ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବାରଣ କରିବାରୁ ଶତାଧିକ ଲୋକେ ଭୋଜି ସାରି ବର କନ୍ୟାଙ୍କୁ ନେଇ ନାଚ ଗୀତର ଆସର ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଓ ପୁଲିସ୍ ପହଞ୍ଚିଥିଲେ । କିଛି ସମୟ ପାଇଁ ବିବାହ ଘର ପରିବାର ଲୋକେ ଓ ଗ୍ରାମବାସୀଙ୍କ ସହ କଥା କଟାକଟି ହୋଇଥିଲା ।
ସେହି ସମୟରେ ବିଦ୍ୟୁତ କାଟ ହୋଇ ଯିବାରୁ ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପଥର ମାରି ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡ଼ିଛି । ଏହା ସହିତ କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ରକ୍ତଜୁଡୁବୁଡୁ ଅବସ୍ଥାରେ ତହସିଲଦାର ପ୍ରାଣ ବିକଳରେ ଦୌଡି ପଳାଇଥିଲେ । ସେ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ନିଜ ସରକାରୀ ବାସଭବନରେ ଅଛନ୍ତି । ଏ ସଂପର୍କରେ ଆର. ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କୁ ପଚାରିବାରୁ ଘଟଣାର ପୁଙ୍ଗାନୁପୁଙ୍ଖ ତଦନ୍ତ କରି ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )