ରୋଜଗାରକୁ ପ୍ରଭାବିତ କରିଛି କରୋନା

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :-  ଆତଙ୍କ ଖେଳାଇ ଦେଇଥିବା କରୋନାର ଦ୍ୱିତୀୟ ଲହର ପ୍ରତିଷେଧ ପାଇଁ ଜାରି କରାଯାଇଥିବା କଟକଣା ଅନେକ ଲୋକଙ୍କ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ତେବେ କରୋନାର ଭୟାବହାତା ଦୃଷ୍ଟିରୁ ଲୋକେ ଏହି କଟକଣାକୁ ମାନିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ହୋଟେଲ, ରେଷ୍ଟୁରାଂଟ ଉପରେ କଟକଣା ଜାରି କରାଯାଇଛି । ଏଥିଯୋଗୁଁ ଉକ୍ତ ସଂସ୍ଥା ଗୁଡ଼ିକରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ବିନା କାମରେ ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ସଂସ୍ଥା ଗୁଡ଼ିକରେ ଏମାନେ କାମ କରୁଥିଲେ ସେଗୁଡ଼ିକର ବ୍ୟବସାୟ ବନ୍ଦ ହୋଇଯିବାରୁ ମଜୁରୀ ମିଳିବା ସମ୍ଭବପର ନୁହେଁ । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଯେଉଁ କେତେକ କ୍ଷୁଦ୍ର ବ୍ୟବସାୟୀ ରାସ୍ତାକଡ଼ରେ ଛୋଟ ଛୋଟ ଦୋକାନ କରି ଗୁଜୁରାଣ ମେଂଟାଉ ଥିଲେ ସେଥିରୁ ଅନେକ ଦୋକାନ ବନ୍ଦ ହୋଇଗଲାଣି ।

କରୋନା ଛାନିଆରେ ଲୋକେ ବି ଫାଷ୍ଟଫୁଡ଼, ବରା, ପକୋଡ଼ି, ଗୁପୁଚୁପ ଆଦି କିଣି ଖାଇବାକୁ ଭୟ କରୁଛନ୍ତି ଏବଂ ନିଜକୁ ନିରାପଦ ମଣୁନାହାନ୍ତି । ଚିକେନ୍‌, ଅଣ୍ଡା ସହିତ କରୋନାର କୌଣସି ସମ୍ପର୍କ ନାହିଁ ବୋଲି ରାଜ୍ୟ ସରକାରୀ ସ୍ତରରେ କୁହାଯାଉଥିଲେ ମଧ୍ୟ ପ୍ରାୟ ସମସ୍ତ ଲୋକେ ଭୟରେ ଅଣ୍ଡା, ଚିକେନ୍‌ ଏପରିକି ଆମିଷ ଖାଇବା ବନ୍ଦ କରି ଦେଇଛନ୍ତି । ଫଳରେ କୁକୁଡ଼ା ଚାଷୀଙ୍କ ଠାରୁ ଆରମ୍ଭ କରି ଆମିଷ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ହାତ ବାନ୍ଧି ବସିଛନ୍ତି । ହାଟ ବଜାର ଠାରୁ ଆରମ୍ଭ କରି ସ୍ଥାନୀୟ ପୌରାଂଚଳ ଓ ଗ୍ରାମାଂଚଳର ରାସ୍ତାଘାଟ ଖାଁ ଖାଁ ଲାଗୁଛି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସରକାର ବନ୍ଦ ଘୋଷଣା କରିବା ଫଳରେ କୋଚିଂ ସେଂଟର ଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଦୈନିକ ପାରିଶ୍ରମିକ ଭିତିରେ ନିୟୋଜିତ କର୍ମଚାରୀଙ୍କ ରୋଜଗାର ନାହିଁ । କରୋନା ଯୋଗୁଁ ଉତ୍ପାଦନ, ରପ୍ତାନି, ଆମଦାନୀ ଓ ବାଣିଜ୍ୟ ବ୍ୟବସାୟ ମଧ୍ୟ ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି । ସମଗ୍ର ଦେଶରେ କରୋନାର ପ୍ରଭାବ ଦେଖା ଦେଇଥିବା ଯୋଗୁଁ ଏହାର ପ୍ରଭାବ ସିଧାସଳଖ ବିଭିନ୍ନ ଦେଶର ଅର୍ଥନୀତି ଏବଂ ବିଶେଷ କରି ନିମ୍ନ, ମଧ୍ୟବିତ ବର୍ଗ ଏବଂ ଖଟିଖିଆଙ୍କ ଉପରେ ବିଶେଷ ପ୍ରଭାବ ପକାଇବା ସହ ସେମାନଙ୍କ ରୋଜଗାର ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version