ଲକ ଡାଉନର ୩ୟ ଦିନରେ ; ଅବୁଝାଙ୍କୁ ପ୍ରଶାସନର ଦଉଡି,ବାଉଁଶ ଆକଟ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ସମ୍ପ୍ରତି ଓଡ଼ିଶାରେ ଦେଖାଦେଇଥିବା କରୋନାର ଦ୍ଵିତୀୟ ଲହରରୁ ସୃଷ୍ଟି ହେଉଥିବା ବର୍ଦ୍ଧିତ ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।କରୋନାରୁ ଉତ୍ପନ୍ନ ବେହାଲ ସ୍ଥିତିରୁ ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ।ରାଜ୍ୟରେ ଟୀକା କରଣ ପ୍ରକ୍ରିୟା ଚାଲୁ ରହିଛି।କରୋନା ଚେନ କୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଜାରୀ ରହିଛି ୧୪ ଦିନିଆ ଲକ ଡାଉନ ସହ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା।ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟବାସୀଙ୍କ ସୁରକ୍ଷା ନିମିତ୍ତ କିଛି ସେବାରେ କଟକଣା ଜାରୀ କରିଥିବା ବେଳେ କିଛି ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରିଛନ୍ତି ସରକାର।ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯେପରି ସଂକ୍ରମଣ ସଂଖ୍ୟା ବୃଦ୍ଧି ନ ହୁଏ ସେଥିପାଇଁ ବିଭିନ୍ନ ମାଧ୍ୟମରେ ସତର୍କତା ଓ ସଚେତନତା ଉପରେ ମଧ୍ୟ ଗୁରୁତ୍ୱାରୋପ କରି ମୁକାବିଲା ପାଇଁ ଅହରହ ଚେଷ୍ଟା ଓ ନିବେଦନ ଜାରୀ ରଖିଛନ୍ତି ।

ଜିଲ୍ଲା ସ୍ତରରୁ ପଞ୍ଚାୟତ ଯାଏଁ ସବୁଠି କରୋନା ମୁକାବିଲା ଓ ପ୍ରତିକାର ପାଇଁ ପଦକ୍ଷେପ ଓ ଆଲୋଚନା ଚାଲିଛି।କିନ୍ତୁ ଅଞ୍ଚଳରେ ସଂକ୍ରମଣ ସ୍ଥିତି କେତେ ଭୟଙ୍କର ତାହା ସଚେତନ ନାଗରିକ ହୃଦୟଙ୍ଗମ କରୁଥିବା ବେଳେ ବହୁ ଅବୁଝା ଓ ଅମାନିଆ ଏଥିପ୍ରତି ତିଳେ ବି ସଙ୍କୋଚ କିମ୍ବା ଖାତିର କରୁ ନ ଥିବା ଦେଖାଯାଇଛି।ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବାସିନ୍ଦା ଜରୁରୀ କାମ ବାହାନା ଦେଖାଇ ଗାଡି,ମୋଟର ଧରି ବଜାରରେ ଘୁରି ବୁଲୁଥିବା ଦେଖାଯାଇଛି।ବେଳେବେଳେ ପ୍ରଶାସନ ହାବୁଡ଼ରେ ପଡି ତଣ୍ଡ ଗଣୁଥିଲେ ସୁଦ୍ଧା ପ୍ରଶାସନର କୋଭିଡ କଟକଣାକୁ ମାନିବାକୁ ନାରାଜ।ଏଭଳି ସ୍ଥିତିରେ ଲକ ଡାଉନ ଘୋଷଣାର ଆରମ୍ଭରୁ ସ୍ଥାନୀୟ ପ୍ରଶାସନ ପ୍ରଦର୍ଶନ କରିଛି କଡା ଆଭିମୁଖ୍ୟ।ଶୁକ୍ରବାର ଥିଲା ଲକ ଡାଉନର ତୃତୀୟ ଦିନ।ପୌର ପ୍ରଶାସନ ପକ୍ଷରୁ ଭୋରରୁ ସ୍ଥାନୀୟ ପରିବା ବଜାରର ଉଭୟ ପ୍ରବେଶ ପଥକୁ ପ୍ଲାଷ୍ଟିକ ରଶି ସହାୟତାରେ ଅବାଧ ଯାତାୟାତକୁ ଅବରୋଧ କରାଯାଇଛି।ବେଫିକର ଓ ଅମାନିଆ ଙ୍କୁ କଡା ତାଗିଦ କରି ପରିବା ବଜାର ମଧ୍ୟକୁ ସାଇକେଲ,ବାଇକ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଅନୁରୂପ ଭାବେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସହରର ଉଭୟ ପ୍ରବେଶ ପଥକୁ ବାଉଁଶ ବାଡ ସହାୟତାରେ ନାକାବନ୍ଦି କରାଯାଇଛି ।

ସ୍ଥାନୀୟ ପୌରାଞ୍ଚଳର ଘୋଡାହାଡ ନଦୀ ଓ ଆରଏମସି ଛକ ନିକଟରେ ବାଉଁଶ ବାଡ କରାଯାଇ ସହର ମଧ୍ୟକୁ ପ୍ରବେଶ କରୁଥିବା ସମସ୍ତ ଯାନବାହାନ ଗୁଡିକୁ ଅଟକାଇ ଯାଞ୍ଚ କଡାକଡି କରାଯାଇଛି । ବିନା କାରଣରେ ବାହାରେ ବୁଲୁଥିବା ଅମାନିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ବାବଧାନରେ ଥାନା ଏସଆଇ ବାସୁଦେବ ଭୋଇ, ଗୋପାଳ କୃଷ୍ଣ ଆଗୁ ପାତ୍ର, ରାଘବ ପ୍ରଧାନ, ଶରତ ଚନ୍ଦ୍ର ରାୟ, ଏଏସଆଇ ପ୍ରକାଶ ଚନ୍ଦ୍ର ବେହେରା, ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ଓ ଫୋର୍ସ ମୁତୟନ ରହି ଯାଞ୍ଚ୍ କଡାକଡି କରୁଥିବା ଦେଖିବାକୁ ମିଳିଥିଲା।ସେହିପରି ସ୍ଥାନୀୟ ପୈାର ପ୍ରଶାସନ ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ତତ୍ବାବଧାନରେ ପୈାର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର,ମାନସ ରଞ୍ଜନ ଦାଶ,କିରଣ ନାହାକ,ଲାଲ ମୋହନ ସେଠୀ, ଭାସ୍କର ସାହୁ,ବିବେକାନନ୍ଦ ମହାପାତ୍ର, ପ୍ରଶାନ୍ତ ମହାଙ୍କୁଡ,କିଶାନ କୁମାର ପାତ୍ର ଓ ନାରାୟଣ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସଚେତନ ସୃଷ୍ଟି କରିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ କରୋନା ସଚେତନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଜାରୀ ରହିଥିଲା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଜନ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନା କରୁଥିବା ଜଣାପଡିଛି।ଆଗାମୀ ଦିନରେ ଅମାନିଆ ଓ ପଞ୍ଚସୂତ୍ରୀ ନିୟମ ଅନୁପାଳନ କରୁ ନ ଥିବା ଛୋଟ ବଡ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁ କହିଛନ୍ତି।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version