ଏଥର ଠିକ୍‌ ସମୟରେ ଆସିବ ମୌସୁମୀ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର )  ଭୁବନେଶ୍ୱର,ରିପୋର୍ଟ ସୋନାଲି ମହାରଣା :- ପ୍ରାକ୍‌ ଆକଳନ କହୁଛି, ଏଥର ଠିକ୍‌ ସମୟରେ ଆସିବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଦୀର୍ଘ ଅବଧି (ଏକ୍ସଟେଣ୍ଡେଡ୍‌ ରେଞ୍ଜ) ପୂର୍ବାନୁମାନ ସଙ୍କେତ ଦେଖାଉଛି ଯେ ଜୁନ୍‌ ପହିଲାବେଳକୁ କେରଳ ଛୁଇଁଯିବ ମୌସୁମୀ ।

ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ସମୟ ସୁଦ୍ଧା ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଆଇଏମ୍‌ଡି ସମେତ ବିଶ୍ୱର ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ୍‌କୁ ବିଶ୍ଳେଷଣ କରି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଓଡ଼ିଶାରେ ଜୁନ୍‌ ୧୨ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ କରିପାରେ । ଏମିତିକି ୩/୪ ଦିନ ଆଗୁଆ ବି ଆସିପାରେ । ଓଡ଼ିଶାରେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ଜୁନ ୧୦ରୁ ୧୨ ତାରିଖ । ଏ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ସମ୍ଭାବନା ଅଛି ।

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତ ଏପ୍ରିଲ ୧୬ ତାରିଖରେ ଚଳିତବର୍ଷର ସମ୍ଭାବ୍ୟ ମୌସୁମୀ ବର୍ଷା ବାବଦରେ ପ୍ରଥମ ପୂର୍ବାନୁମାନ ଜାରି କରାଯାଇଥିଲା । ପରବର୍ତ୍ତୀ ବିସ୍ତୃତ ପୂର୍ବାନୁମାନ ଚଳିତ ମାସ ଶେଷରେ ଜାରି ହେବ । ତେବେ ମୌସୁମୀ କେବେ ସୁଦ୍ଧା କେରଳ ଉପକୂଳ ଛୁଇଁବ, ସେ ନେଇ ଆସନ୍ତା ୧୫ ତାରିଖରେ ଆଇଏମଡି ପୂର୍ବାନୁମାନ କରିବ । ପ୍ରତି ଗୁରୁବାର ଆଇଏମଡି ଚାରି ସପ୍ତାହ ପାଇଁ ଦୀର୍ଘ ଅବଧି ପାଣିପାଗ ପୂର୍ବାନୁମାନ ଦେଇଥାଏ । ସେଥିରେ ମିଳିଥିବା ସଙ୍କେତରୁ ଏ ବର୍ଷ ସ୍ୱାଭାବିକ ସମୟରେ ମୌସୁମୀ ଆସିବା ଅନୁମାନ କରାଯାଉଛି । ୧୫ ତାରିଖ ପୂର୍ବାନୁମାନ ଆସିବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ।

Exit mobile version