କାଳ ବୈଶାଖୀ ପ୍ରଭାବରେ ଉପୁଡ଼ିଲା ଗଛ ; ଗଛ ତଳେ ଚାପି ହୋଇ ୨ ମୃତ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର )ହିଞ୍ଜିଳିକାଟୁ :- ବୁଧବାର ଅପରାହ୍ନ ପ୍ରାୟ ସାଢେ ୫ଘଂଟା ସମୟରେ ହିଞ୍ଜିଳି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କାଳବୈଶାଖୀ ପ୍ରଭାବରେ ପ୍ରଚଣ୍ଡ ବେଗରେ ପବନ ବୋହିବା ସହ ପ୍ରାୟ ୩୦ ମିନଟ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା । କ୍ଷିପ୍ର ଗତିରେ ପବନ ବୋହିବାରୁ ଏକ ବଡ଼ ଧରଣର କାକପ୍ଧେବ ଗଛ ମାଟିରୁ ଉପୁଡ଼ି ପଡ଼ିଥିଲା । ଗଛ ତଳେ ଚାପି ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ବ୍ରହ୍ମଣଛାଇ ଗ୍ରାମରେ ଘଟିଛି । ମୃତକ ମାନେ ହେଲେ ସଂପୃକ୍ତ ଗ୍ରାମର ବିପ୍ର ଚରଣ ପ୍ରଧାନ (୬୫) ଓ କାହ୍ନା ପ୍ରଧାନ (୧୨) । ମିଳିଥିବା ସୂଚନା ପ୍ରକାରେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ବ୍ରହ୍ମଣଛାଇ ଗ୍ରାମ ନୁଆଁସାହିର ବିପ୍ର ଚରଣ ପ୍ରଧାନ ଓ କାହ୍ନା ପ୍ରଧାନ ବୁଧବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ହେବା ସହ ବିଜୁଳି ମାରିଥିଲା । 

କ୍ଷିପ୍ର ଗତିରେ ପବନ ବୋହିବାରୁ ସଂପୃକ୍ତ ଗ୍ରାମ ନୁଆଁସାହି ନିକଟରେ ଥିବା ଏକ କାକପୋଇ ଗଛ ମାଟିରେ ଲୋଟି ପଡ଼ିଥିଲା । ଏହି ସମୟରେ ସଂପୃକ୍ତ ଗ୍ରାମର ବିପ୍ର ଓ କାହ୍ନା ବାହାରେ ବୁଲୁଥିବା ଗାଇକୁ ଗହାଳକୁ ଆଣିବା ପାଇଁ ଯାଇଥିବା ସମୟରେ ସଂପୃକ୍ତ ନାବାଳକ ଓ ବୃଦ୍ଧଙ୍କ ଉପରେ ଗଛ ପଡ଼ିବା ସହ ଦୁହେଁ ଗଛ ତଲେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ ନାବାଳକଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ସମୟରେ ବାଟରେ ମୃତ୍ୟୁ ଘଟିଥିଲା ।

ଖବର ଲେଖା ହେବା ସୁଦ୍ଧା ଗ୍ରାମବାସୀ ପଡ଼ି ଯାଇଥିବା ଗଛକୁ ହଟାଇ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରୁଥିବା ଜଣାପଡ଼ିଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୫ ଓ ୬/୨୧ରେ ଦୁଇଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ମୃତଦେହକୁ ବ୍ୟବଛେଦ ସକାଶେ ଗୁରୁବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।    ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version