ଖୋର୍ଦ୍ଧା ଜିଲା ,ମଲ୍ଲିପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଏକ ଖୋଲ ଭିତରେ ଅଜଗର ସାପ ଅଣ୍ଡା ଦେଇଥିବାର ଦେଖିବାକୁ ମିଳିଛି

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲା ମଲ୍ଲିପୁର ପଞ୍ଚାୟତର ମଲ୍ଲିପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଏକ ଖୋଲ ଭିତରେ ଅଜଗର ସାପ ଅଣ୍ଡା ଦେଇଥିବାର ଦେଖିବାକୁ ମିଳିଛି । ଚନ୍ଦକା ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଏବଂ ଅଣ୍ଡାର ସୁରକ୍ଷା ପାଇଁ ସେଠାରେ ବ୍ୟାରିକେଡ ସହ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ପଞ୍ଚାୟତର ମଲ୍ଲିପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଆଜି ସକାଳୁ କିଛି ଲୋକ ଏକ ଖୋଲ ଭିତରେ ଏକ ଅଜଗର ସାପକୁ ଦେଖିଲେ ।

ସ୍ଥାନୀୟ ଯୁବକମାନେ ହଳଦିଆ ରେଞ୍ଜ ଅଫିସରଙ୍କୁ ଖବର ଦେଲା ପରେ ରେଞ୍ଜ ଅଫିସର ଜୟକୃଷ୍ଣ ପଣ୍ଡା ଟିମ ଧରି ପହଞ୍ଚିଥିଲେ। ସ୍ଥାନୀୟ କିଛି ସାପ ଉଦ୍ଧାରକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସେମାନେ ସାପକୁ ଉଦ୍ଧାର କରିବା ପୂର୍ବରୁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରେଞ୍ଜ ଅଫିସର ଙ୍କୁ ଉଦ୍ଧାର କରିବା ପାଇଁ ମନା କରିଥିଲେ । ସେଠାରେ ନିଜେ ପହଞ୍ଚୁଛନ୍ତି ବୋଲି କହିଥିଲେ । ରେଞ୍ଜ ଅଫିସର ସ୍ଥାନୀୟ ସାପ ଉଦ୍ଧାରକାରୀଙ୍କୁ ସାପ ଉଦ୍ଧାର କରିବାକୁ ବାରଣ କରିଥିଲେ ।

ସ୍ନେକ ହେଲ୍ପ ଲାଇନର ଏକ ୨ ଜଣିଆ ଟିମ ଶୁଭେନ୍ଦୁ ମଲ୍ଲିକ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବହୁ ଜନ ସମାଗମ ହୋଇଥିଲା । ଜଣେ ପୁଲିସ ସବଇନ୍ସପେକ୍ଟର ନିଜ ଷ୍ଟାଫଙ୍କୁ ଧରି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ। କରୋନା କଟକଣା ପାଇଁ ଲୋକଙ୍କୁ ଦୂରକୁ ହଟେଇବା ପରେ ଶୁଭେନ୍ଦୁ ଆସ୍ତେ ସାପକୁ ନିଜର ହୁକ ସାହାଯ୍ୟରେ ଟେକିବା ପରେ ସାପ ପେଟ ତଳେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ଆଉ ସାପକୁ ବିରକ୍ତ ନକରି ତୁରନ୍ତ ଚନ୍ଦକା ଡିଏଫଓଙ୍କୁ ଜଣେଇଥିଲେ ।

ସାପକୁ ତା ବସାରୁ ବାହାର ନକରି ସେହି ଜାଗାରେ ଅଣ୍ଡା ଫୁଟେଇବାକୁ ସୁଯୋଗ ଦେବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶ ରେ ଆଜି ଠାରୁ ସେହି ଜାଗାରେ ବାରିକେଡ ତିଆରି ହୋଇ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା କରାଯାଇଛ । ସ୍ଥାନୀୟ ଗ୍ରାମ କମିଟି ତରଫରୁ ଗ୍ରାମର ଯୁବକ ସଂଘ ମଧ୍ୟ ସାପର ସୁରକ୍ଷା ନେବା ଦାୟୀତ୍ବ ନେଲେ ।
ସାପ ଅଣ୍ଡା ଫୁଟିବା ପର୍ୟ୍ୟନ୍ତ ଏହି କଟକଣା ଜାରି ରହିଲା । କୌଣସି ଲୋକଙ୍କୁ ସାପ ଅଣ୍ଡା ପାଖକୁ ଛଡା ଯିବ ନାହିଁ । ଓଡିଶାରେ ଏହା ପ୍ରଥମ ଘଟଣା ।

Exit mobile version