ଆଇଡିବିଆଇ ବ୍ୟାଙ୍କର ୧୩୫୯ କୋଟି ଟଙ୍କା ଲାଭ

ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର :ଆଇଡିବିଆଇ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷରେ ଜବରଦସ୍ତ ବ୍ୟାବସାୟିକ ପ୍ରଦର୍ଶନ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ପିସିଏ ଫ୍ରେମ୍‌ୱର୍କରୁ ବାହାରିବା ପରେ ବ୍ୟାଙ୍କ ଚମତ୍କାର ପ୍ରତ୍ୟାବର୍ତନ କରି ୧୩୫୯ କୋଟି ଟଙ୍କାର ଲାଭ କରିଛି । ଦୀର୍ଘ ୫ ବର୍ଷ ପରେ ଏହା ପୁଣି ଥରରେ ଲାଭ ପଥକୁ ଫେରଛି । ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (୨୦୨୧ ଜାନୁଆରି-ମାର୍ଚ୍ଚରେ)ରେ ଆଇଡିବିଆଇ ବ୍ୟାଙ୍କର ନେଟ୍ ଲାଭ ୨୭୮% ବୃଦ୍ଧି ପାଇ ୫୧୨ କୋଟି ଟଙ୍କା ହୋଇଛି । ପୂର୍ବବର୍ଷ ଏହି ସମୟରେ ନେଟ୍ ଲାଭ ୧୩୫ କୋଟି ଟଙ୍କା ଥିଲା । ଟିକସ ପୂର୍ବବର୍ତୀ ଲାଭ ୪୬% ବୃଦ୍ଧି ପାଇ ୪୨୩ କୋଟି ଟଙ୍କା ହୋଇଥିବା ବେଳେ ଅପରେଟିଂ ଲାଭ ପରିମାଣ ୫୪% ବୃଦ୍ଧି ପାଇ ୨୮୭୯ କୋଟି ଟଙ୍କା ହୋଇଛି । ନେଟ୍ ସୁଧ ଆୟ ୩୮% ବୃ୍‌ଧି ପାଇ ୩୨୪୦ କୋଟି ଟଙ୍କା ହୋଇଛି । ନେଟ୍ ସୁଧ ମାର୍ଜିନ୍ ୫.୧୪%ରେ ପହଂଚିଛି । ସଂପତ୍ତିରୁ ରିଟର୍ଣ୍ଣ ୦.୭୦ ପ୍ରତିଶତ ଓ ଇକ୍ୱିିଟିରୁ ରିଟର୍ଣ୍ଣ ୧୩.୧୩% ରହିଛଇ । କାସା ଜମା ଅନୁପାତ ୫୦.୪୫%, ନେଟ୍ ଏନ୍‌ପିଏ ୧.୯୭%, ସିଆର୍‌ଏଆର୍ ୧୫.୫୯% ଓ ପିସିଆର୍ ୯୬.୯୦% ରହିଛି । ଆଇଡିବିଆଇ ବ୍ୟାଙ୍କର କାସା ଜମା ପରିମାଣ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୧୧୬,୪୯୧ କୋଟି ଟଙ୍କା ହୋଇଛି । କର୍ପୋରେଟ୍ ଓ ରିଟେଲ୍ ଋଣ ଅନୁପାତ ୩୮:୬୨ ରହିଛି । କୋଭିଡ୍‌-୧୯କୁ ନଜରରେ ରଖି ବ୍ୟାଙ୍କ ତରଫରୁ ୩୬୩ କୋଟି ଟଙ୍କାର ପ୍ରୋଭିଜନିଂ ବା ଅଲଗା ବ୍ୟବସ୍ଥା କରାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଦରକାର ହେଉଥିବା ରାଶି ଠାରୁ ବ୍ୟାଙ୍କ ଯଥେଷ୍ଟ ଅଧିକ ରଖିଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନଜରରେ ରଖି ବ୍ୟାଙ୍କ ତରଫରୁ ୨୦୨୧ ମାର୍ଚରେ ଅଧିକ ପ୍ରୋଭିଜନିଂ ରଖାଯାଇଛି । କରୋନା ୧୯ ପ୍ରୋଭିଜନିଂ ବାବଦରେ ୫୦୦ କୋଟି ଟଙ୍କା ଦିଆଯାଇଛି । ଫଳରେ କୋଭିଡ୍‌- ୧୯ ପାଇଁ ମୋଟ୍ ପ୍ରୋଭିଜନିଂ ପରିମାଣ ୮୬୩ କୋଟି ଟଙ୍କାରେ ପହଂଚିଛି । ୨୦୨୧ ମାର୍ଚ ୧୦ରେ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ପିସିଏ ଫ୍ରେମ୍‌ୱର୍କରୁ ବାହାରିଥିଲା । ୨୦୧୭ ମେ’ରେ ବ୍ୟାଙ୍କକୁ ଏହି ଫ୍ରେମ୍‌ୱର୍କରେ ସାମିଲ କରାଯାଇଥିଲା । ସର୍ବନିମ୍ନ ପାଣ୍ଠି ଆବଶ୍ୟକତା, ନେଟ୍ ଏନ୍‌ପିଏ ଓ ଲିଭରେଜ୍ ରେସିଓକୁ ନେଇ ରହିଥିବା ବୈଧାନିକ ନିୟମ ପାଳନ କରିବା ପରେ ବ୍ୟାଙ୍କକୁ ଏହି ଫ୍ରେମ୍‌ୱର୍କରୁ ବାହାର କରାଯାଇଛି । ବ୍ୟାଙ୍କ ତରଫରୁ ଆଲୋଚ୍ୟ ଆର୍ଥିକ ବର୍ଷରେ ବିଭିନ୍ନ ସ୍ଥାନରେ ସ୍ୱର୍ଣ୍ଣ କଳସ ଶାଖା ଖୋଲାଯାଇଛି । ଆଇଡିବିଆଇ ବ୍ୟାଙ୍କ ତରଫରୁ ଭିଡିଓ ଖାତା ଖୋଲିବା ସୁବିଧା ଆରମ୍ଭ କରାଯାଇଛି । ଏହା ବ୍ୟତୀତ କୃଷି ଓ ଏମ୍‌ଏସ୍‌ଏମ୍‌ଇ ଋଣ ପାଇଁ ବ୍ୟାଙ୍କ ତରଫରୁ ଏକ ଲୋନ୍ ପ୍ରୋସେସିଂ ସିଷ୍ଟମ୍ ଆରମ୍ଭ କରାଯାଇଛି । ବ୍ୟାଙ୍କ ତରଫରୁ ଭର୍ଚୁଆଲ୍ ଡେବିଟ୍ କାର୍ଡ ମଧ୍ୟ ଉନ୍ମୋଚନ କରାଯାଇଛି ।

Exit mobile version