୨ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧ ସଂକ୍ରମିତ

ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଦି ପାଇବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ୩ ଅଙ୍କ ପାର ହୋଇସାରିଛି । ଗତ କିଛି ଦିନ ଧରି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଆକ୍ସନ ମୁଡ୍ ଓ କଡାକଡି ଯାଞ୍ଚ ପାଇଁ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଗତ ୧୦ ଦିନ ପୂର୍ବେ ହିଞ୍ଜିଳିକାଟୁ ଓ ନିକଟବର୍ତ୍ତୀ ଅଞ୍ଚଳର ୧୧ ଜଣ ସଂକ୍ରମିତ ଗୁରୁତର ଅବସ୍ଥାରେ ହିଞ୍ଜିଳିକାଟୁ ଉତ୍ସର୍ଗୀକୃତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସକାଶେ ଭର୍ତି ହୋଇଥିଲେ । ଚିକିତ୍ସା ପରେ ଆରୋଗ୍ୟ ଲାଭ କରି ସୋମବାର ଓ ମଙ୍ଗଳବାର ୨ ଦିନରେ ସେମାନେ ଘରକୁ ଫେରିଛନ୍ତି । ସେମାନେ ହେଲେ ସ୍ଥାନୀୟ ପୌରାଞ୍ଚଳର ବିବେକାନନ୍ଦ ବାତ୍ୟା, ସୁଶାନ୍ତ ବାଡତ୍ୟା, ସ୍ଥାନୀୟ ଥାନା ସିକିରି ଗ୍ରାମର ରଘୁନାଥ ପାଢି, ଜୟନ୍ତୀ ପାଢି, କଂଗ୍ରେସ ସାମଲ, ବଡଖଣ୍ଡି ଗ୍ରାମର କାହ୍ନୁ ଚରଣ ସାହୁ, କବିସୂର୍ଯ୍ୟନଗରର ମନୋଜ କୁମାର ସାହୁ, ବେଗୁନିଆପଡାର ମନୋଜ କୁମାର ସେଠି, ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମର ଦୁଃଖିନୀ ସାହୁ, ଆସିକା ବାଣିବିହାର ଅଞ୍ଚଳର କୃଷ୍ଣ ଚନ୍ଦ୍ର ମହାପାତ୍ର, ମହେଶ୍ବରପୁରର ଉର୍ମିଳା ସାହୁ । ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ସ୍ୱାସ୍ଥ୍ୟ କେନ୍ଦ୍ର ନୋଡ଼ାଲ ଚିକିତ୍ସାଧିକାରୀ ଡ଼ାକ୍ତର ସ୍ୱୟମ୍ଭୁ ପ୍ରସାଦ ରାୟ, ବିପିଏମ ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ପ୍ରମାଣପତ୍ର ପ୍ରଦାନ କରିବା ସହ ସେମାନଙ୍କୁ ଆସନ୍ତା ୭ ଦିନ ସକାଶେ ହୋମ୍ ଆଇସୋଲେସନ ରେ ରହିବା ସକାଶେ ପରାମର୍ଶ ଦେଇଥିଲେ । ସଂପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ସୁବିଧା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଯୋଗକୁ ସେମାନେ ପ୍ରଂଶସା କରିଛନ୍ତି ।   ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version