ଦୁଇଦିନ ସଟଡ଼ାଉନ ପରେ .. ବଜାର ଖୋଲୁ ଖୋଲୁ ଅସମ୍ଭାଳ ଭିଡ଼

 ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ହିଞ୍ଜିଳିକାଟୁ :- କରୋନା ସଂକ୍ରମଣ ଏବେ ମହାମାରୀ ରୂପ ନେଇଛି । କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଦି ପକାଇବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ୩ ଅଙ୍କ ପାର ହୋଇସାରିଛି । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବହୁ ଲୋକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ମଧ୍ୟ ଘଟିଛି । ତଥାପି ଲୋକଙ୍କ ମନରେ ଭୟ ନଥିବା ଭଳି ଜଣାପଡ଼ିଛି । ଦ୍ୱିତୀୟ ସପ୍ତାହନ୍ତ ସଟଡ଼ାଉନରେ ଦୁଇଦିନ ଶନିବାର ଓ ରବିବାର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଦି’ ଦିନ ପରେ ଦୋକାନ ଖୋଲୁ ଖୋଲୁ ସବୁ ଅସମ୍ଭାଳ । ଦୋକାନ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭାଳ ଭିଡ଼ । କରୋନା ସଂକ୍ରମଣରେ ବହୁ ଲୋକ ସଂକ୍ରମିତ ହୋଇଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରଶାସନର କୋଭିଡ଼ କଟକଣା ପାଳନ ନକରିବା ଏହାର ଅନ୍ୟତମ କାରଣ । ସ୍ଥାନୀୟ ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ସହ ଜନସାଧାରଣଙ୍‌କୁ ସତର୍କ କରାଯାଉଛି କିନ୍ତୁ କେହି ମାନୁନାହାନ୍ତି ।

ସୋମବାର ସକାଳ ୬ଟାରୁ ପୌରାଂଚଳର ଲଏକ୍ଷ୍ମୀ ବଜାର ସମେତ ପରିବା ବଜାରରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ଲୋକେ ମାସ୍କ ପିନ୍ଧିଥିଲେ କିନ୍ତୁ ତାହା ଥୋଡ଼ି ତଳେ ଥିଲା । ସାମାଜିକ ଦୂରତ୍ୱ ରକ୍ଷା ତ ଦୂରର କଥା ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗ୍ରାହକଙ୍କ ମଧ୍ୟରେ ଚାଖଣ୍ଡେ ମଧ୍ୟ ଦୂରତା ନଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୫ ତାରିଖ ଠାରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୧୪ ଦିନ ସକାଶେ ଲକଡ଼ାଉନ ଘୋଷଣା କରାଯାଇଛି । ଲକଡ଼ାଉନକୁ ଆଖି ଆଗରେ ରଖି ଲୋକେ ଆଗୁଆ ସଉଦା କିଣି ନେଉଥିବାର ଦେଖିବାକୁ ମିଳିଥିଲା । ସରକାରଙ୍କ ପକ୍ଷରୁ ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ବିଚାରକୁ ନନେଇ ପର୍ଯ୍ୟପ୍ତ ପରିମାଣରେ ଜିନିଷ ବୋହି ନେଉଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ବଜାରରେ ଗ୍ରାହକଙ୍କ ଭିଡ଼ ସକାଳୁ ୧୧ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିବା ବେଳେ ମଧ୍ୟାନ୍ନରେ କିଛିଟା ଗହଳି କମିଥିଲା । ପ୍ରଶାସନ ଓ ପୁଲିସ ପକ୍ଷରୁ ସାମାନ୍ୟ କୋହଳ ହେଲେ ସାଧାରଣ ଲୋକ ଅମାନିଆ ହୋଇ ବୁଲୁଛନ୍ତି । ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି କୋଭିଡ଼ କଟକଣାକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ବାରମ୍ବାର ଅନୁରୋଧ କରାଯିବା ସହ ପ୍ରତ୍ୟହ ଜନ ସଚେତନତା କରାଯାଉଛି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଂଚସୂତ୍ରୀ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଚେତାବନି ଦିଆଯାଇଛି । ନିୟମ ଅବମାନନା କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି । ତଥାପି ଲୋକେ ମାନିବାକୁ ନାରାଜ । ଆଗାମୀ ଦିନରେ କୋଭିଡ଼ କଟକଣାକୁ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ସିଲ କରାଯିବା ସହ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ବିରୋଦ୍ଧରେ ଥାନାରେ ଏତାଲା ଦିଆଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version