ଯୁବକଙ୍କ ମୃତ୍ୟୁ : କରୋନା ଆଶଙ୍କାରେ କାନ୍ଧ ଦେଲେନି ପରିବାର, ପରିଜନ ପ୍ରଶାସନ ଓ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଶବ ସତ୍କାର

ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର )ହିଞ୍ଜିଳିକାଟୁ :-  କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ଲୋକଙ୍କୁ ଭୟ ଏତେ ଘାରିଛି ଯେ ନିଜ ପରିବାର ସଦସ୍ୟଙ୍କୁ ଘଡ଼ିସନ୍ଧି ମହୁର୍ତରେ ସହାୟତା ଓ ସହଯୋଗ କରିବାକୁ ପଛଘୁଂଚା ଦେବାରେ ବି ମାନବପଣିଆ ହରେଇ ବସେଇବାକୁ ଉଚିତ ମଣୁଛନ୍ତି । ଏଭଳି ଏକ ସଙ୍କଟମୟ ପରିସ୍ଥିତିରେ ନିଜ ଜୀବନର ସୁରକ୍ଷା ପାଇଁ ମୃତ୍ୟୁ ପରେ ଶବର କାନ୍ଧ ଦେବା ପାଇଁ ପାଖତଡ଼ ମାଡ଼ୁନଥିବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି ।

ଏଭଳି ଏକ ଦୁଖଃଦ ଘଟଣା ରବିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଗ୍ରାମରେ ଘଟି ପରିସ୍ଥିତି ସଙ୍ଗୀନ କରିଦେଇଛି । ଘଟଣାରୁ ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଗ୍ରାମ ବାସିନ୍ଦା ଡ଼ି.ଗୋବିନ୍ଦ(୪୮) ପାରାଦ୍ୱୀପ ଅଂଚଳରେ ରହି କାର୍ଯ୍ୟ କରୁଥିଲେ । ଶନିବାର ରାତିରେ ସେ ପୈତୃକ ଗ୍ରାମରେ ଆସି ପଂହଚିଥିଲେ । ରାତ୍ର ଭୋଜନ ପରେ ଶୋଇ ପଡ଼ିଥିଲେ । ରବିବାର ଭୋରରୁ ପରିବାର ସଦସ୍ୟ ତାଙ୍କୁ, ନିଦରୁ ଉଠାଇଥିଲେ ମଧ୍ୟ ସେ ଉଠିନଥିଲେ । କରୋନା ସଂକ୍ରମିତରେ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ କରି ପରିବାର ସଦସ୍ୟ ମୃତକଙ୍କ ଶବକୁ ଛୁଇଁ ନଥିଲେ । ଘଟଣା ପ୍ରଘଟ ହେବା ପରେ ସାହିପଡ଼ୋଶୀ ଭୟରେ ଘରୁ ବାହାରକୁ ବାହାରିନଥିଲେ । ଏଭଳି ହୃଦୟ ବିଦାରକ ଘଟଣାର ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ତତ୍କାଳ ପଂହଚି ଥିଲେ ।

ପରେ ପିପିଇ କିଟ୍ ପରିଧାନ କରି ଶବକୁ କାନ୍ଧେଇ ଗ୍ରାମ ଶଶ୍ମାନରେ ଶବଦାହ କରିଥିଲେ । ପ୍ରଶାସନର ସହାୟତାରେ ହିଞ୍ଜିଳିକାଟୁ ଅଂଚଳରେ ପ୍ରଥମ ଥର ଏଭଳି ଶବ ସତ୍କାର କରାଯାଇଥିବା ଦେଖିବାକୁ ମିଳିଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଗୌତମ କୁମାର ସାହୁ, ନନ୍ଦିକ ରାଜସ୍ୱ ନିରୀକ୍ଷକ କୃଷ୍ଣ ଜାନି, ବଡ଼ଖଣ୍ଡି ରାଜସ୍ୱ ନିରୀକ୍ଷକ ସଞ୍ଜୟ ବିଷୋୟୀ, ଗ୍ରାମ ରୋଜଗାର ସେବକ ମାନସ ସାହୁ, ଟୁକୁନା ଗଉଡ଼ ଓ ସଂପୃକ୍ତ ଗ୍ରାମର ୨ ଯୁବ ସମାଜସେବୀ ଏନ. ଜୟନ୍ତ ଓ ବାବୁ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ । ମୃତ ଡ଼ି. ଗୋବିନ୍ଦଙ୍କ ୧୩,୧୧ ଓ ୯ ବର୍ଷର ୩ କନ୍ୟା ସନ୍ତାନ ଥିବା ଜଣାପଡ଼ିଛି । ମୃତକଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି । ପରେ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ମୃତକଙ୍କ ବାସଭବନକୁ ବିଶୋଧନ କରାଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ରତିକାନ୍ତ ପରିଡ଼ା, ସତ୍ୟରାମ ନାୟକ, ମୁକ୍ତକାନ୍ତ ଜେନା, ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।    ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version