ପଞ୍ଚସୂତ୍ରୀ ନିୟମକୁ ଅବମାନନା ; ୭ ଦିନ ପାଇଁ ଚାହା ଦୋକାନ ସିଲ୍

ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ଵରେ କାୟା ବିସ୍ତାର କରିଛି । ଏହାକୁ ରୋକିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଲୋଚନା ଓ ଜନ ସଚେତନତା ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ କରିଛନ୍ତି। ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୈାରାଞ୍ଚଳ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ପ୍ରତ୍ୟହ ସକାଳ ୭ରୁ ଦିନ ୧ଘଣ୍ଟ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲା ରଖିବା ପାଇଁ ସ୍ବତଃ ପ୍ରବୃତ୍ତ ଭାବେ ଅନୁରୋଧ କରିଥିଲେ। ପରିତାପର ବିଷୟ ସଂଘ ପକ୍ଷରୁ ନିଜ ଅନୁରୋଧକୁ ନିଜେ ପାଳନ କରିନଥିଲେ । କୋଭିଡ ୧ ପରି ୨ କୁ ମାତ ଦେବା ନିମନ୍ତେ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପଞ୍ଚସୂତ୍ରୀ ନିୟମାବଳୀ ପାଳନ ଏକ ମାତ୍ର ଅସ୍ତ୍ର ଅଟେ । କଟକଣାକୁ କିଛି କୋହଳ କରାଯାଇଥିବାବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି ।
କିଛି ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି ।ମହାମାରୀ ଲେଉଟିଥୁବା ସହ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଭଳି ସମୟରେ ହିଞ୍ଜିଳିକାଟୁ ବସ ଟର୍ମିନାଲ ନିକଟସ୍ଥ ଧନି କମ୍ପ୍ଳେକ୍ସ ପରିସରରେ ଧନୁ ଗଉଡ ନାମକ ଜଣେ ଯୁବକ ନିଜ ଚାହା ଦୋକାନ ଖୋଲି ଗ୍ରାହକଙ୍କ ଭିଡ଼ କରିଥିଲେ । ଦୋକାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ସହିତ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ନଥିବା ନେଇ ସ୍ଥାନୀୟ ପୈାର ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ଖବର ପାଇ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ସଂପୃକ୍ତ ଚାହା ଦୋକାନ ରେ ପହଞ୍ଚି ଦୋକାନ କୁ ୭ ଦିନ ନିମନ୍ତେ ସିଲ୍ କରିଥିଲେ । ଘଟଣା ନେଇ ହିଞ୍ଜିଳି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁ ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ । ଆଗାମୀ ଦିନରେ ଅମାନିଆଙ୍କ ପ୍ରତି ପୌରପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ କହିଛନ୍ତି।
( ରିପୋର୍ଟ : ଶୁସାନ୍ତ ପ୍ରଧାନ )