ଷ୍ଟେଲାଣ୍ଟିସ୍ ପକ୍ଷରୁ ରୋଲାଣ୍ଡ୍ ବୌଚାରାଙ୍କୁ ଭାରତରେ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର ) ଭୁବନେଶ୍ୱର :-  ଷ୍ଟେଲାଣ୍ଟିସ୍ ଇଣ୍ଡିଆ ଆଣ୍ଡ୍ ଏସିଆ ପାସିଫିକ୍ ପକ୍ଷରୁ ଭାରତ ପାଇଁ ରୋଲାଣ୍ଡ୍ ବୌଚାରାଙ୍କୁ ସିଇଓ ଓ ଏମ୍‌ଡି ଭାବେ ନିଯୁକ୍ତ କରାଯାଇଛି । ଜିପ୍ ଓ ସିଟ୍ରୋଏନ୍‌ର ଜାତୀୟ ବିକ୍ରି କଂପାନିର ସମ୍ପୂର୍ଣ୍ଣ ଦାୟିତ୍ୱ ସହ ଗ୍ରୁପ୍‌ର ମାନୁଫାକ୍‌ଚରିଂର ସେ ଦେଖାଶୁଣା କରିବେ । ୨୦୧୭ ପରଠାରୁ ବରିଷ୍ଠ ଉପସଭାପତି (ବିକ୍ରି ଓ ମାର୍କେଟିଂ) ପଦରେ ରହି ଶ୍ରୀଯୁକ୍ତ ରୋଲାଣ୍ଡ୍ ସିଟ୍ରୋଏନ୍‌ର ସଫଳତାର ସହ ନେତୃତ୍ୱ ନେଇଥିଲେ । ଭାରତରେ ସଟ୍ରୋଏନ୍ ବ୍ରାଣ୍ଡ୍ ଓ ଏହାର ପ୍ରଥମ ଉତ୍ପାଦ ସିଟ୍ରୋଏନ୍ ସି୫ ଏୟାର୍‌କ୍ରସ୍‌କୁ ଉନ୍ମୋଚନ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ଆନ୍ତର୍ଜାତିକ ଅଟୋମୋଟିଭ୍ ଓ କନ୍‌ସଲ୍‌ଟିଂ ବ୍ୟବସାୟରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ୨୦୧୭ରେ ଗ୍ରୁପ୍ ପିଏସ୍‌ଏରେ ଯୋଗଦେବା ପୂର୍ବରୁ ଶ୍ରୀଯୁକ୍ତ ରୋଲାଣ୍ଡ୍ ରେନୋ ପାଇଁ ୟୁରୋପ ଠାରୁ ଆରମ୍ଭ କରି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳ ଓ ଚୀନ୍‌ରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ସେହିପରି, କଂପାନି ତରଫରୁ ଡକ୍ଟର ପାର୍ଥ ଦତ୍ତାଙ୍କୁ ଇଞ୍ଜିନିୟରିଂ, ଡିଜାଇନ୍‌, ଗବେଷଣା ଓ ବିକାଶ ପାଇଁ ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଂଚଳର ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୧୯ ପରଠାରୁ ପାର୍ଥ ଏଫ୍‌ସିଏ ଇଣ୍ଡିଆର ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ୧୯୯୯ରେ ସେ ଏଫ୍‌ସିରେ ଜଣେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ । ବିଗତ ୧୨ ବର୍ଷ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଛନ୍ତି ।

ପାର୍ଥଙ୍କୁ ଚେନ୍ନାଇରେ ଟେକ୍ନିକାଲ୍ ସେଣ୍ଟର୍‌ର ମୁଖ୍ୟ ଓ ଚୀନ୍‌ରେ ଉତ୍ପାଦ ଇଞ୍ଜିନିୟରିଂର ମୁଖ୍ୟ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । ଷ୍ଟେଲାଣ୍ଟିସ୍ ଇଣ୍ଡିଆ ଓ ଏସିଆ ପାସିଫିକ୍‌ର ଚିଫ୍ ଅପରେଟିଂ ଅଫିସର କାର୍ଲ ସ୍ମାଇଲି କହିଛନ୍ତି ଯେ, “ଷ୍ଟେଲାଣ୍ଟିସ୍‌ରେ ଉଭୟ ରୋଲାଣ୍ଡ୍ ଓ ପାର୍ଥଙ୍କ ନୂଆ ନିଯୁକ୍ତି ବିଷୟରେ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ । ରୋଲାଣ୍ଡ୍‌ଙ୍କ ପାଖରେ ଦୀର୍ଘ ବର୍ଷର ବାଣିଜ୍ୟିକ ଅଭିଜ୍ଞତା ରହିଛି । ଷ୍ଟେଲାଣ୍ଟିସ୍‌ର ବ୍ରାଣ୍ଡ୍‌, ନେଟ୍‌ୱର୍କ ଓ ବ୍ୟବସାୟ ପରିଚାଳନାକୁ ଭାରତରେ ସମ୍ପ୍ରସାରିତ କରିବା ପାଇଁ ସେ କାର୍ଯ୍ୟ କରିବେ । ସେହିପରି, ଷ୍ଟେଲାଣ୍ଟିସ୍‌ର ଇଞ୍ଜିନିୟରିଂ, ଡିଜାଇନ୍ ଓ ଆର୍‌ଆଣ୍ଡ୍‌ଡିର ନେତୃତ୍ୱ ନେବା ଲାଗି ପାର୍ଥ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ । ଜିପ୍ ବ୍ରାଣ୍ଡ୍‌ର ସଫଳତାରେ ପାର୍ଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଉଭୟ ରୋଲାଣ୍ଡ୍ ଓ ପାର୍ଥ ନିଜ ନୂତନ ଭୂମିକାକୁ ତତ୍କାଳ ଗ୍ରହଣ କରିଛନ୍ତି ।

Exit mobile version