ଓକିଲ ସଂଘ ପକ୍ଷରୁ ମଧୂବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର )ହିଞ୍ଜିଳିକାଟୁ :-  ହିଞ୍ଜିଳିକାଟୁ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ୧୭୩ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଜେଏମଏଫସି ନ୍ୟାୟାଳୟ ପରିସରରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜର୍ଜ ଶଶିକାନ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜେଏମଏଫସି ନ୍ୟାୟାଳୟର ବିଚାରପତି ରାଜଶ୍ରୀ ପଟ୍ଟନାୟକ, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ବିଡିଓ ସୁବ୍ରତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନ୍ୟାୟାଳୟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଉତ୍କଳ ପ୍ରଦେଶ ବା ଓଡ଼ିଶା ପ୍ରଦେଶ ତଥା ଓଡ଼ିଆ ମାନଙ୍କ ପ୍ରତି ତତ୍କାଳୀନ ଇଂରେଜ ଶାସକ ମାନଙ୍କ ଅଣଦେଖା ଓ ଅବହେଳା ର ସୁଯୋଗରେ ପଡୋଶୀ ରାଜ୍ୟର ତଥାକଥିତ ପ୍ରଶାସନିକ ଅଧିକାରୀ ମାନଙ୍କ ହୀନ ଚକ୍ରାନ୍ତ ଏପରିକି ‘ଓଡ଼ିଆ ଏକଟା ସ଼୍ବତନ୍ତ୍ର ଭାଷା ନଏ’ କହି ଏହି ପ୍ରାଚୀନତମ ଭାଷାକୁ ବିଲୋପ କରିଦେବା ପାଇଁ ଚାଲିଥିବ ଷଡ଼ଯନ୍ତ୍ର ର ଉଚିତ ମୁକାବିଲା କରିବାପାଇଁ ପ୍ରାତଃ ସ୍ମରଣୀୟ ମଧୁବାବୁଙ୍କ ଜନ୍ମ ଏ ଜାତିକୁ ନିଶ୍ଚିତ ବିପଦରୁ ଉଦ୍ଧାର କରିଦେଲା।ବହୁ ଘାତ ପ୍ରତିଘାତ ସହି ପ୍ରଥମ ଓଡ଼ିଆ ସ୍ନାତକ,ଆଇନସ୍ନାତକ, ଓକିଲ ଏପରିକିପ୍ରଥମ ବିଲାତ ଫେରନ୍ତା ର ଗୌରବ ଅର୍ଜନ କରିଥିବା ମଧୁବାବୁ ଖ୍ରୀଷ୍ଟଧର୍ମାବଲମ୍ଵୀ ହୋଇ ମଧ୍ୟପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତ୍ବାଧିକାରକୁ ବ୍ରିଟିଶ ଆଇନରୁ ମୁକୁଳେଇ ପାରିଥିଲେ। 

ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସମଗ୍ର ଓଡ଼ିଆ ଙ୍କୁ ଏକାଠି କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆଙ୍କ ଗୌରବ ଓ ସ୍ବାଭିମାନକୁ ବଜାୟରଖିବା ପାଇଁ କରିଯାଇଥିବା ମହତ୍ ପ୍ରୟାସ ଓ ସ୍ବପ୍ନ ସାକାର ହେଲା ୧୯୩୬ ଏପ୍ରିଲ ପହିଲାରେ। ଦୀର୍ଘ ଦିନ ଧରି ତାଙ୍କର ସ୍ବାର୍ଥ ତ୍ୟାଗ ପ୍ରଚେଷ୍ଟା ବାରଂବାର ପ୍ରତିହତ ହୋଇ ମଧ୍ୟ ତାଙ୍କ ଦେହାନ୍ତ ପରେ ତାଙ୍କର ପଦାଙ୍କ ଅନୁସରଣ କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅତ୍ୟନ୍ତ ନିଷ୍ଠା ଓ ସ୍ବାର୍ଥ ତ୍ୟାଗ ପ୍ରଚେଷ୍ଟା ବଳରେ ଓଡ଼ିଆ ଙ୍କ ସମ୍ମାନ ବଞ୍ଚାଇଥିଲେ ଏବଂ ବ୍ରିଟିଶ ସରକାରଙ୍କ ଠାରୁ ଓଡ଼ିଶା କୁ ସ଼୍ବତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହୋଇ ମଧୁବାବୁଙ୍କ ସ୍ବପ୍ନ ସାକାର କରିଥିଲେ ବୋଲି ଓଡ଼ିଆ ଜାତିର ଗର୍ବ ଗୌରବ ସ୍ବାଭିମାନ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରିୟ ମଧୁବାବୁଙ୍କ ୧୭୩ତମ ପୂଣ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପରେ ନ୍ୟାୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ, ଉପସଭାପତି ଉପେନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ବଂଶୀଧର ସାହୁ, ବରିଷ୍ଠ ଆଇନଜୀବି ନିର୍ମଳ ସାହୁ, ଆଇନଜୀବି ମୁକ୍ତିରାମ ସାବତ, ମାନସ ରଞ୍ଜନ ପାଢି, ଜଗତ ମୋହନ ସାହୁ, ଜିତେନ ପ୍ରହରାଜ, ପ୍ରଭାତ କୁମାର ସାହୁ, ଶାନ୍ତୁନୁ ପୋଲାଇ, ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version