ଚାକିରି ଦେବା ନାମରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ : ଯୁବକ ଗିରଫ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଦିଗପହଣ୍ଡି :-  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରୁ ସୋମବାର ଦିନ ଦିଗପହଣ୍ଡି ପୋଲିସ ଜଣେ ମହିଳାଙ୍କ ଠାରୁ ସରକାରୀ ଚାକିରୀ କରାଇଦେବା ନାମରେ ଟଙ୍କା ଲୁଟ କରିଥିବା ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ଶେରଗଡ଼ ଥାନା ଅଣ୍ଡିରା ସଂଗ୍ରାମର ସ୍ବର୍ଗତ ଆନନ୍ଦ ମଲ୍ଲିକଙ୍କ ପୁଅ ମୋହନ ମଲ୍ଲିକ (୪୭) ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ବିଭିନ୍ନ ସମୟରେ କିଛି ଲୋକ ପ୍ରଚୁର ଅର୍ଥ ଲାଳସାରେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଟଙ୍କା ହଡ଼ପ କରିଥାନ୍ତି । ଏଭଳି ଘଟଣାର ବଶବର୍ତ୍ତୀ ହୋଇଛନ୍ତି ଦିଗପହଣ୍ଡି ବ୍ଳକ ପଦ୍ମନାଭପୁୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମର ବିବାହିତ ମହିଳା ରୁବି ଦାସ (୨୫) । ଅଭିଯୁକ୍ତ ମୋହନ ଗତ ୨୦୨୦ ଜାନୁଆରୀ ୧୦ ତାରିଖରେ ଭୁଷୁଣ୍ଡା ଗ୍ରାମକୁ ଯାଇ ମହିଳାଙ୍କ ସହ

ପରିଚିତ ହେବାପରେ ସେ ନିଜେ ସରକାରୀ ଚାକିରି କରୁଥିବା କହିଥିଲେ । ଏହାପରେ ମହିଳା ଜଣକୁ ରେଲୱେ ତୁମକୁ ଚାକିରି କରାଇବା ନେଇ ଲୋଭ ଦେଖାଇଥିଲେ ଏବଂ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଏକ ଫେକ ଲେଟର ଦେଇଥିଲେ । ଏଥିସହ ମହିଳା ଜଣଙ୍କ ଯୁବକ ଉପରେ ବିଶ୍ବାସ କରି ଦେଢ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଦିନ ଗଡିଗଡି ଚାଲିବା ସହ ଯୁବକ ଜଣକ କଥା ଭୂଲାଉଥିଲେ । ଏହାର କିଛି ଦିନ ନା ଯୁବକଙ୍କ ଦେଖା ମିଳିଳା ନା ଫୋନ ଯୋଗାଯୋଗ ହୋଇପାରିଲା । ଯାହାଫଳରେ ମହିଳାଙ୍କ ଯୁବକ ଉପରେ ସନ୍ଦେହ ଜାତ ହୋଇଥିଲା । ତେବେ ଗତକାଲି ରୁବି ଓ ତାଙ୍କ ସ୍ବାମୀ ଟୁକୁନା ଦାସ ଦିଗପହଣ୍ଡି ଥାନା ଆସି ଅଭିଯୁକ୍ତ ମୋହନ ବିରୋଧରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା କରି ଦିଗପହଣ୍ଡି ପୋଲିସ ତଦନ୍ତ ଚଳାଇଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ଜଣକ ଗ୍ରାମରେ ବୁଲୁଥିବା ଖବରପାଇ ଗ୍ରାମରେ ପହଞ୍ଚି ଯୁବକଙ୍କୁ ଉଠାଇ ଆଣିଥିଲେ । ଏନେଇ ଥାନା କେସ ନଂ ୯୬/୨୦୨୧ ଦଫା ୪୨୦/୫୦୬/୩୫୪ (କ) ଏନ୍ ଆଇ ଆକ୍ଟର ଧାରା ୧୩୮ ଅନୁସାରେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅପରାହ୍ନରେ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।   ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version