ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ୧୩୦ ତମ ଜୟନ୍ତୀ ନିରାଡମ୍ବରରେ ପାଳିତ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ୧୩୦ତମ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମହାରାଜାଙ୍କ ସମାଧି ପୀଠ, ବଜାର ଛକ ଠାରେଥିବା ମହାରାଜାଙ୍କ ପ୍ରତିମୂର୍ତ୍ତୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନବ ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ବଳିଷ୍ଠ ଭୂମିକା, ଓଡିଆ ଜାତିର ସ୍ୱାର୍ଥ ରକ୍ଷା, ଶିକ୍ଷା ଗମନାଗମନ, ପାରଳାଖେମୁଣ୍ଡି ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଆଦି ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ବର୍ତ୍ତମାନ କୋଭିଡର ଲହରୀ ସମଗ୍ର ଜିଲ୍ଲାରେ କାୟା ବିସ୍ତାର କରିଥିବା ଯୋଗୁଁ କୋଭିଡ୍‌-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ସମସ୍ତ କାର୍ଯ୍ୟକ୍ରମ ନିରାଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ପାରଳା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା, ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ମହାରାଜାଙ୍କ ପ୍ରତିମୂର୍ତ୍ତୀ ଓ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version