ବଢୁଛି ସଂକ୍ରମଣ : ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଲାଗୁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର ) ବେଙ୍ଗାଲୁରୁ  :- ସାରାଦେଶରେ କରୋନାର ଭୟାବହତା ବ୍ୟାପକ ହେବାରେ ଲାଗିଛି । କର୍ଣ୍ଣାଟକରେ ମଧ୍ୟ ସ୍ଥିତି ଅଣାୟତ ହେବାକୁ ଲାଗିଲାଣି । ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ (କୋଭିଡ୍‌ କର୍ଫ୍ୟୁ) ଲାଗୁ କରିଛନ୍ତି । ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା ।

୧୪ ଦିନ ଯାଏଁ କର୍ଣ୍ଣାଟକରେ ଲକଡାଉନ୍‌ (କୋଭିଡ୍‌ କର୍ଫ୍ୟୁ) ଲାଗୁ ରହିବା ନେଇ ଘୋଷଣା କରାଯାଇଛି । ଲକଡାଉନ୍‌ (କୋଭିଡ୍‌ କର୍ଫ୍ୟୁ) ସମୟକୁ କିଛିଟା କୋହଳ ମଧ୍ୟ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟାରୁ ଦିନ ୧୦ ଟା ଯାଏଁ କଟକଣା କୋହଳ କରାଯାଇଛି । ଦିନ ୧୦ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଚାଲୁ ରଖିବା ପାଇଁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜରୁରୀ ସେବାକୁ ଲକଡାଉନ୍‌ (କୋଭିଡ୍‌ କର୍ଫ୍ୟୁ)ରୁ ବାଦ ଦିଆଯାଇଛି । ସର୍ବସାଧାରଣ ପରିବହନ ବନ୍ଦ ରହିବା ନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି । (ରିପୋର୍ଟ ଲାଲା ଅନନ୍ତ କୁମାର ସିଂହ)

Exit mobile version