ସଟଡ଼ାଉନର ଦ୍ୱିତୀୟ ଦିବସରେ ସହରବାସୀଙ୍କ ସମର୍ଥନ ଚେକିଂ ଜୋରଦାର, ରାସ୍ତାଘାଟ ଜନଶୁନ୍ୟ

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ହିଞ୍ଜିଳିକାଟୁ :- ସପ୍ତହାନ୍ତ ସଟଡ଼ାଉନର ଦ୍ୱିତୀୟ ଦିବସ ରବିବାର ସହରର କେବଳ ମେଡ଼ିକାଲ ସେବା ଓ ଜରୁରୀ ସେବାକୁ ବାଦ ଦେଲେ ଯାତାୟତ ସାଙ୍ଗକୁ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସାରା ସହର ଖାଁ ଖାଁ ଲାଗୁଥିବା ବେଳେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡ଼ିଥିଲା । ତଥାପି କିଛି ଅମାନିଆ ମେଡ଼ିକାଲ ଯିବା ବାହାନାରେ ବାଇକ ଯୋଗେ ଚକ୍କର କାଟୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ବାହିନୀ ସହରର ବିଭିନ୍ନ ଛକ ସ୍ଥାନରେ ଯାଂଚ କଡ଼ାକଡ଼ି କରୁଥିବାର ଦେଖିବାକୁ ମିଳିଥିଲା । ଯାଂଚ ସମୟରେ ଯାତାୟତ କରୁଥିବା ବ୍ୟକ୍ତି ମାନଙ୍କୁ ଯାତାୟତର କାରଣ ପଚାରି ବୁଝିବା ସହ ପରିଚୟ ପତ୍ର ଦେଖାଇବା ପାଇଁ ବାଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।

ଅକାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ବିରୋଧରେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଦେଖିବାକୁ ମିଳିଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଲୋକେ ସଟଡ଼ାଉନ ସାଙ୍ଗକୁ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ଭୟରେ ଲୋକେ ସଟଡ଼ାଉନକୁ ମାନି ଚଳିବା ସହ ଘରୁ ବାହାରକୁ ବାହାରି ନଥିଲେ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ସମେତ ପୌର ପରିଷଦ ଏନଫୋର୍ସମେଂଟ ଟିମ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଘଟଣା ପ୍ରତି ତୀକ୍ଷ୍ମ ନଜର ରଖିଥିଲେ ।   ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version