ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ଅଞ୍ଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଅନୁରୋଧ

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହରୀ ଲୋକଙ୍କ ମନରେ ଅଜଣା ଆତଙ୍କ ଦେଖାଦେଇଛି । କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନ ସଚେତନତା ସୃଷ୍ଟି କରାଯିବା ସହ କୋଭିଡ କଟକଣା ପାଳନ କରିବାକୁ ଅନୁରୋଧ କରାଯାଉଛି । ତଥାପି କିଛି ଅମାନିଆଙ୍କ ପାଇଁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି । ସ୍ଥାନୀୟ ପୌରାଞ୍ଚଳର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବା ବେଳେ କିଛି ଅମାନିଆ ବିନା ମାସ୍କରେ ଏବଂ ଅକାରଣରେ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ଯଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ହିଞ୍ଜିଳିକାଟୁ ପୈାରାଞ୍ଚଳ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ଥାନୀୟ ପୌରାଞ୍ଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ (ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ) ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ହିଞ୍ଜିଳିକାଟୁ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ସହିତ ଆଲୋଚନା କରିବା ସହ ସହରର ସମସ୍ତ ପନିପରିବା, ରାସନ୍ ଓ ଫଳ ଦୋକାନ ପ୍ରତ୍ୟହ ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ସଂପୃକ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମାଲିକ ମାନଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ଚିଠିର ନକଲ ଉପ ଜିଲ୍ଲାପାଳ, ଛତ୍ରପୁର, ସ୍ଥାନୀୟ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରୁ ପ୍ରେରଣ କରାଯାଇଛି । ବଣିକ ସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ଯୁଗଳ ପଣ୍ଡା, କିଶୋର ଚୈଧୁରୀ, ଯୋଗିନ୍ଦ୍ର ପଣ୍ଡା, ବିଶ୍ବମ୍ବର ସାହୁ, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version