ପୌରାଂଚଳର ୨ ୱାର୍ଡ଼ ମିନି କଂଟେନମେଂଟ ଘୋଷିତ

ଓଡିଶା ତାଜା ନ୍ୟୁଜ ( ୨୪ ଏପ୍ରିଲ ଶନିବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଜନସମାଜ ପାଇଁ ଘାତକ ସାଜିଛି । ସରକାର ଏବଂ ପ୍ରଶାସନ ପକ୍ଷରୁ ଏହାକୁ ପ୍ରତିହିତ କରିବା ପାଇଁ ଜନ ସଚେତନତା କରାଯାଉଛି । ଏପରିକି କରୋନା ଚେନକୁ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧି ପଦକ୍ଷେପ ଗ୍ରହଣ କରାଯାଉଛି । ତଥାପି କିଛି ଅମାନିଆଙ୍କ ପାଇଁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବାସୀ ମାନେ ବାହାର ରାଜ୍ୟରୁ ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । କରୋନା ଚେନକୁ ରୋକ ଲଗାଇବା ପାଇଁ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଥର୍ମାଲ ସ୍କ୍ରିନିଂ କରାଯିବା ସହ ସରକାରଙ୍କ ପକ୍ଷରୁ ପ୍ରଦିତ କୋଭିଡ଼ କଟକଣାକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଉଛି । ତଥାପି କିଛି ଅମାନିଆ ସରକାରଙ୍କ କଟକଣାକୁ ମାନିବାକୁ ନାରାଜ । ଯାହାରି ଫଳରେ ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପୌରାଂଚଳ କେଉଟ ସାହି ଓ ଥାନାତୋଟା ସାହିରେ ୧୫ଜଣ ସଂକ୍ରମିତ ଚିହ୍ନଟ ପରେ ସଂପୃକ୍ତ ଦୁଇ ସାହିକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରବିବାର ମିନି କଂଟେନମେଂଟ ଘୋଷଣା କରାଯାଇଛି । ସ୍ଥାନୀୟ ଅଂଚଳବାସୀ କୋଭିଡ଼ କଟକଣାକୁ ଅବମାନନା କଲେ ଆଗାମୀ ଦିନରେ ବିସ୍ୱୋରକ ପରିସ୍ଥିତି ସୃଷ୍ଟି ହେବ, ଏଥିରେ ନିସନ୍ଦେହ ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version