ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା , ବିନା ସୁରକ୍ଷାକିଟରେ ଚାଲିଛି କୋଭିଡ ରୋଗ ନିଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ହିଞ୍ଜିଳିକାଟୁ :-  ରାଜ୍ୟର ୧୦ ଟି ଜିଲ୍ଲାରେ କରୋନା ସଂକ୍ରମଣ ରୂପ ସାଙ୍ଘାତିକ ସ୍ଥିତିରେ ରହିଛି।ଅବଶିଷ୍ଟ ୨୦ ଜିଲ୍ଲାରେ ଉଣା ଅଧିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗଞ୍ଜାମ ଜିଲ୍ଲାର ସ୍ଥିତି ବଦଳି ବାରେ ଲାଗିଛି।ଦିନକୁ ଦିନ ନୁଆଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ଥିତି ଜଟିଳତା ଆଡକୁ ଅଗ୍ରସର ହେବାରେ ଲାଗିଛି।ଗତ ୨ ଦିନ ମଧ୍ୟରେ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଜିଲ୍ଲାରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।କିନ୍ତୁ ଆସନ୍ତା ଦିନରେ ପରିସ୍ଥିତି ଜଟିଳତା ଆଡକୁ ଗତି କରିପାରେ ବୋଲି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପୂର୍ବାନୁମାନ କରିଛି।ଏଥିଲାଗି ଅଧିକ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଛି।ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକାକରଣ ସହ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷାକୁ ତ୍ବରାନ୍ବିତ କରାଯାଇଛି।ଏଥିପାଇଁ କୋଭିଡ ଦାୟିତ୍ୱରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଚିକିତ୍ସା ସେବା ସମ୍ପାଦନ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଛି।କୋଭିଡ ସଂକ୍ରମଣ ଉତ୍କଟ ହେବା ପୂର୍ବରୁ ଏହି ନିର୍ଦ୍ଦେଶକୁ ଅବମାନନା କରି କିଛି ସ୍ୱାସ୍ଥ୍ୟ କର୍ମଚାରୀ ବେଫିକର ଭାବେ କୋଭିଡ ରୋଗ ନିଦାନ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।ଏହି ଭୟଙ୍କର ରୋଗ ସହ ଖେଳୁଥିବା ଲାବୋରା ଟୋରୀ ଟେକ୍ନିସିଆନ ଜଣକ ବିନା ସୁରକ୍ଷାକିଟ ରେ ରୋଗ ନିଦାନ କରୁଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚାଲିଥିବା ଜଣାପଡିଛି।ସୂଚନା ମୁତାବକ ସ୍ଥାନୀୟ ପୌରାଞ୍ଚଳ ସମେତ ଆଖ ପାଖ ଅଞ୍ଚଳରେ ଲୋକଙ୍କ କୋଭିଡ ଲକ୍ଷଣ ନିଦାନ ଲାଗି ୨ ଜଣ ଲାବୋରା ଟେରୀ ଟେକ୍ନିସିଆନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ହୋଇଛନ୍ତି।ଗତ୨୦ ଦିନ ମଧ୍ୟରେ ପ୍ରାୟ ୧୫ ଶହରୁ ଅଧିକ ବ୍ୟକ୍ତି କରୋନା ଲକ୍ଷଣ ସୁନିଶ୍ଚିତ କରିବା ପାଇଁ ଏଠାରେ ଥିବା ନିଦାନ କେନ୍ଦ୍ରକୁ ଆସିଥିବା ଜଣାପଡିଛି।କିନ୍ତୁ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ପିପିଇକିଟ ଓ ଗ୍ଲୋବସ ବ୍ୟବହାର ନ କରି କରୋନା ରୋଗ ନିଦାନ କରୁଥିବା ଚିତ୍ରରୁ ସ୍ପଷ୍ଟ ହୋଇଛି। ଯେଉଁ ସମୟରେ ଅଧିକ ସୁରକ୍ଷା ଓ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ସେଭଳି ସ୍ଥିତିରେ ସୁରକ୍ଷାକିଟ ବ୍ୟବହାର ନ କରି କିଭଳି ଅସୁରକ୍ଷିତ ଭାବେ ଚିକିତ୍ସା ସେବା କରାଯାଉଛି ତାହା ଚିନ୍ତାର କାରଣ ପାଲଟିଛି। ଏଥି ପ୍ରତି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଆଦୌ ଦୃଷ୍ଟି ନ ପଡିବା ଫଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ଥିବା ଆଶଙ୍କା ସୃଷ୍ଟି ହୋଇଛି। ସ୍ଥାନୀୟ ଚିକିତ୍ସାଳୟରେ ଚାଲିଥିବା ଅବ୍ୟବସ୍ଥା ଏକ ଗମ୍ଭୀର ପରିସ୍ଥିତି ଆଡକୁ ମୁଁହାଇବା ନିଶ୍ଚିତ ସମ୍ଭାବନା ରହିଛି ବୋଲି ଜାଣିବା ଶୁଣିବା ମହଲରେ ମତ ପ୍ରକାଶ ପାଇଛି।ଏଥିପ୍ରତି ସଚେତନ ନାଗରିକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ,ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।
    ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version