ବେଦାନ୍ତ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି କାହାଣୀ ଆଗକୁ ବଢ଼ାଇବା ଲାଗି “ସାଥୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ଧାତବ, ତୈଳ ଓ ଗ୍ୟାସ୍ ନିର୍ମାତା ବେଦାନ୍ତ ଲିମିଟେଡ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଏହାର ପ୍ରମୁଖ କାର୍ଯ୍ୟକ୍ରମ “ବେଦାନ୍ତ ସାଥୀ’ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀଯୁକ୍ତ ନିତୀନ ଗଡ଼କରୀ ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିଲ ଅଗ୍ରୱାଲ୍‌ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି । ବେଦାନ୍ତ ପକ୍ଷରୁ ସାଥୀ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକାର ଅଗ୍ରଣୀ ବ୍ୟାଙ୍କ, ଏନ୍‌ବିଏଫ୍‌ସି ଓ ଫିନ୍‌ଟେକ୍ ସଂସ୍ଥା ସହ ସହଯୋଗିତା ଜରିଆରେ ଆକର୍ଷଣୀୟ ସୁଧ ହାର ଓ ଦ୍ରୁତ ଆବଂଟନ ଜରିଆରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଫାଇନାନ୍ସ ସୁବିଧା ଯୋଗାଇ ଦିଆଯିବ । ସେମାନେ ଯେଭଳି ବେଦାନ୍ତର ବିଭିନ୍ନ ଉଚ୍ଚ ମାନର ଉତ୍ପାଦ କିଣିପାରିବେ ତାହା ନିଶ୍ଚିତ କରିବା ଲାଗି ଖୁବ୍‌ଶୀଘ୍ର ଏକ ଇ-କମର୍ସ ସଂସ୍ଥାର ଶୁଭାରମ୍ଭ କରାଯିବ । ସଂସ୍ଥାର ଥିବା ବିଭିନ୍ନ ଗବେଷଣା ଅନୁଷ୍ଠାନ, ଶିଳ୍ପ ସଂଘ ଓ ବର୍ହି ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ଜରିଆରେ ବୈଷୟିକ ଦକ୍ଷତାରେ ଉନ୍ନତି ଅଣାଯିବ । ବେଦାନ୍ତ କାରଖାନା ଆଖପାଖରେ ଆନୁସଂଗିକ ଶିଳ୍ପ କାରଖାନା ସ୍ଥାପନ କରିବାର ସୁଯୋଗ ପ୍ରଦାନ କରାଯିବ । ବେଦାନ୍ତର ମାନ, ଉତ୍ପାଦ ପ୍ରୟୋଗ, ଇଞ୍ଜିନିୟରିଂ ଓ ନବସୃଜନ ଟିମ୍ ସହ ଆଲୋଚନା କରିବା ଲାଗି ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଏକ ସିଙ୍ଗଲ୍ ୱିଣ୍ଡୋ ୱେବ୍‌ ପୋର୍ଟାଲ୍ ବିକଶିତ କରାଯାଇଛି ।

ଏହି ଅବସରରେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି ଯେ, “ମହାମାରୀ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବିଭ୍ରାଟ ଦେଖାଦେଇଥିବା ବେଳେ ଦେଶ ଓ ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଯୋଗାଣ ଓ ସେବାର ଉତ୍ସରେ ବିବିଧତା ଖୋଜୁଛନ୍ତି । ଏହା ଆମ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ନୂତନ ଭାବେ ଖୋଲିଥିବା ବଜାରଗୁଡି଼କୁ ହାସଲ କରିବା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ ସହ ଯୋଡ଼ି ହେବାର ସୁଯୋଗ ପ୍ରଦାନ କରିିଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏବେ ଆମେ ଡିଜିଟାଲ୍ ପରିବର୍ତନ ଉପରେ ଗୁରୁତ୍ୱ ଦେଉଛୁ ଯାହା ଜରିଆରେ ସେମାନେ ବର୍ତମାନର ସୁଯୋଗ ହାସଲ କରିପାରିବେ । ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଦକ୍ଷତା ବିକାଶ କରିବାର ମଧ୍ୟ ଆବଶ୍ୟକତା ରହିଛି । ସେଥିରେ ସାମିଲ୍ ରହିଛି ଡିଜାଇନ୍‌, ମାନୁଫାକ୍‌ଚରିଂରେ ସହାୟତା, ଉତ୍ପାଦ ମାନ ବଜାୟ ରଖିବା ଏବଂ ବ୍ୟବସାୟକୁ ବଢ଼ାଇବା । ବେଦାନ୍ତର ସାଥୀ ଭଳି କାର୍ଯ୍ୟକ୍ରମ ଏହି ଲକ୍ଷ୍ୟ ସହ ବେଶ୍‌ ଖାପଖାଉଥିବା ବେଳେ ଏହା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଗେମ୍‌ ଚେଂଜର୍ ସାବ୍ୟସ୍ତ ହେବ ।’’ ଶ୍ରୀଯୁକ୍ତ ଅନିଲ ଅଗ୍ରୱାଲ୍‌, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍ କହିଛନ୍ତି ଯେ, “ଭାରତରେ ଜିଡିପି ପ୍ରତି ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ର ଅବାଦନ ମାତ୍ର ୭% ଥିବା ବେଳେ ବିଶ୍ୱ ସ୍ତରରେ ଏହି ହାର ଏବେ ୪୦% ରହିଛି ।

ନୂଆ ପ୍ରଯୁକ୍ତି ହାସଲ କରିବା, ଦକ୍ଷତାରେ ଉନ୍ନତି ଓ ଗୁଣାତ୍ମକ କଞ୍ଚାମାଲ୍ ଜରିଆରେ ବ୍ୟବସାୟରେ ଉନ୍ନତି ଆଣିବା ଲାଗି ଆମ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଅପାର ସୁଯୋଗ ରହିଛି । ଏହା ରୋଜଗାର ପାଇଁ ସୁଯୋଗ ବଢ଼ାଇବ, ଆମର ପ୍ରତିଭାବାନ ଯୁବପିଢ଼ି ଲାଭବାନ ହେବେ ଏବଂ ଦାରିଦ୍ର‌୍ୟ ଦୂରୀକରଣ ହୋଇପାରିବ ।’’ ବର୍ତମାନ କଂପାନିର ୧୫୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ବିଭିନ୍ନ ବ୍ୟାଙ୍କ ଓ ଏନ୍‌ବିଏଫ୍‌ସିଗୁଡ଼ିକ ଠାରୁ ୧୦୦୦ କୋଟି ଟଙ୍କାର ଋଣ ହାସଲ୍‌ କରିଛନ୍ତି । ସେହି ସୀମାକୁ ପାଞ୍ଚ ଗୁଣା ବଢ଼ାଇବା ଲାଗି ବେଦାନ୍ତ ଲକ୍ଷ୍ୟ ରଖିଛି । ଶ୍ରୀଯୁକ୍ତ ବିଶାଲ କୋଠାରି, ଏମ୍‌ଡି, କୋଠାରି ମେଟ୍‌ସଲ୍ କହିଛନ୍ତି ଯେ, “ଆମର ବେଦାନ୍ତ ସହିତ ଦୀର୍ଘ ଦୁଇ ଦଶନ୍ଧୀର ସହଯୋଗିତା ରହିଛି-ଏହା ଏଭଳି ଏକ ସହଯୋଗିତା ଯାହା ଆମକୁ ଅଳ୍ପ ସମୟ ଭିତରେ ବହୁ ଗୁଣା ଅଭିବୃଦ୍ଧି ହାସଲ୍ କରିବାରେ ସହାୟକ ହୋଇଛି । ଏବେ ଆମେ ହେଉଛୁ ଭାରତର ସର୍ବବୃହତ୍ ଜିଙ୍କ୍ ତାର ଉତ୍ପାଦନ ଓ ରପ୍ତାନିକାରୀ ଓ ୩୦ରୁ ଅଧିକ ଦେଶରେ ଆମର ଉପସ୍ଥିତି ରହିଛି । ବେଦାନ୍ତର ଚ୍ୟାନେଲ୍ ଫଣ୍ଡିଂ କାର୍ଯ୍ୟକ୍ରମ ଦ୍ୱାରା ଆମେ ଉଲ୍ଲେଖନୀୟ ଭାବେ ଉପକୃତ ହୋଇଛୁ । ଏହା ଶୀଘ୍ର ଓ ବନ୍ଧକମୁକ୍ତ ଭାବେ ଆବଂଟନ ହେଉଛି । ନିଜ ବ୍ୟବସାୟର ଅଭିବୃଦ୍ଧି ଲାଗି ସମସ୍ତ ଏମ୍‌ଏସ୍‌ଏମ୍‌ଇ ଏହି ସୁବିଧା ହାସଲ୍ କରିବା ଉଚିତ ।’’

Exit mobile version