ଭବାନୀପାଟଣାରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ବିତରଣ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୧୬ ଅପ୍ରେଲ ଶୁକ୍ରବାର) କଳାହାଣ୍ଡି :- ପୂର୍ବତନ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ କେବଳ ଆର୍ଥିକ ଅନୁଦାନ ନୁହେଁ, ପିଲାମାନଙ୍କୁ ସ୍ଵ ଅର୍ଜିତ ଜ୍ଞାନ ଓ କଳା ପ୍ରଦାନ କଲେ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ହୋଇପାରିବ ବୋଲି ମୋ ସ୍କୁଲ ଅଭିଯାନ କଳାହାଣ୍ଡି ପକ୍ଷ ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ବିତରଣ ଉତ୍ସବରେ ଅତିଥିମାନେ ପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୋ ସ୍କୁଲ ଅଭିଯାନ କଳାହାଣ୍ଡି ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିଲେ ।

ସମ୍ମାନୀତ ଅତିଥି ମୋ ସ୍କୁଲ ଅଭିଯାନ ଜିଲ୍ଲା ସଦସ୍ୟ ଡଃ ଅଜୟ ମିଶ୍ର,ପ୍ରଭାସ ଚନ୍ଦ୍ର ମିଶ୍ର ଓ ସୁଶ୍ରୀ ସବିତା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲାର ୧୩ଗୋଟି ବ୍ଳକରୁ ଆସିଥିବା ୫୦ ଜଣ ପୂର୍ବତନ ବଦାନ୍ୟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।ମୋ ସ୍କୁଲ ଅଭିଯାନ ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ ସ୍ଵାଗତ ଭାଷଣ ଦେଇଥିଲେ । କ୍ୟାମ୍ପେନିଂ ଟିମ୍ ସଦସ୍ୟ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ।ଏହି ମୋ ସ୍କୁଲ ଅଭିଯାନ ଓଡ଼ିଶା ସରକାରଙ୍କ ଏକ ଅଭିନବ ପଦକ୍ଷେପ ଯେଉଁଠି ନାଗରିକ ଓ ସରକାରଙ୍କ ସହଭାଗିତାରେ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ସହ ଆଗାମୀ ପିଢ଼ିକୁ ଏକ ସୁଯୋଗ୍ୟ ସନ୍ତାନ ରୂପେ ଗଢିବାର ପ୍ରୟାସ ଅଟେ। ସଭାରେ ଡି .ଆଇ .ପି. ଆର .ଓ ମନୋଜ କୁମାର ବେହେରା, ଜିଲ୍ଲାର ସମସ୍ତ ବିଇଓ ,ଶିକ୍ଷା ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version