ଏପ୍ରିଲ ୧ରୁ ଉତ୍ତରାଖଣ୍ଡର ହରିଦ୍ୱାରରେ କୁମ୍ଭମେଳାକୁ ଆଗୁଆ ବନ୍ଦ କରାଯାଇପାରେ…

କୁମ୍ଭମେଳାକୁ ଆଗୁଆ ବନ୍ଦ କରାଯାଇପାରେ ବୋଲି ଉତ୍ତରାଖଣ୍ଡର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ଦେଶରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଥର କୁମ୍ଭମେଳାର ସମୟସୀମା ଏକ ମାସକୁ ହ୍ରାସ କରିଛନ୍ତି । ଅର୍ଥାତ ଏପ୍ରିଲ ପହିଲାରେ ଆରମ୍ଭ ହୋଇଥିବା ଏହି ମେଳା ଏପ୍ରିଲ ୩୦ରେ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ଯୋଗୁଁ ଉତ୍ତରାଖଣ୍ଡ ସରକାର କୁମ୍ଭମେଳାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଜାରି କରିଥିଲେ ସୁଦ୍ଧା ବର୍ତ୍ତମାନ ସାଂଘାତିକ ସ୍ଥିତି ଉପୁଜିଛି । ବିଗତ ୪୮ ଘଣ୍ଟାରେ କୁମ୍ଭମେଳାରୁ ସହସ୍ରାଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଗୁଆ ଏହି ମେଳାକୁ ବନ୍ଦ କରିବାକୁ ଚିନ୍ତା କରୁଥିବା ଜଣାପଡିଛି ।

ସୋମବାର ପ୍ରଥମ ସାହି ସ୍ନାନ ଅବସରରେ ପ୍ରାୟ କୋଡିଏ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାନଦୀରେ ବୁଡ ପକାଇଥିଲେ । ଏତେ ଶ୍ରଦ୍ଧାଳୁଙ୍କ ଗହଳି ଯୋଗୁୁଁ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି । ବୁଡ ପକାଇଥିବା ଶ୍ରଦ୍ଧାଳୁ ଓ ସାଧୁ ସନ୍ନ୍ୟାସୀଙ୍କ ମଧ୍ୟରୁ ଅଧିକାଂଶ ମାସ୍କ୍ ପରିଧାନ କରିନଥିବାବେଳେ ସାମାଜିକ ଦୂରତା ବଜାୟ ପ୍ରସଙ୍ଗ ଏକ ପ୍ରହସନ ପାଲଟିଥିଲା । ପୁନଶ୍ଚ ବୁଧବାର ମହାବିଷୁବ ସଂକ୍ରାନ୍ତି ଅବସରରେ କୁମ୍ଭମେଳାର ଦ୍ୱିତୀୟ ସାହି ସ୍ନାନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ପନ୍ଦର ଲକ୍ଷ ଭକ୍ତ ବୁଡ ପକାଇଥିବା ଅନୁମାନ କରାଯାଉଛି । ସବୁଠାରୁ ଅଧିକ ସଂଖ୍ୟକ ଭକ୍ତ ଓ ସାଧୁମାନେ ହର୍ କି ପୌଡି ଘାଟରେ ବୁଡ ପକାଇଥିବା ଜଣାପଡିଛି । ଅପେକ୍ଷାକୃତ କମ ଗହଳି ଥିବା ଘାଟରେ ମାସ୍କ୍ ପିନ୍ଧିନଥିବା କିମ୍ବା ସାମାଜିକ ଦୂରତା ବଜାୟ ରଖୁନଥିବା ଭକ୍ତଙ୍କ ଉପରେ ଜୋରିମାନା ଆଦାୟ କରାଯାଉଛି ସତ, ତେବେ ହର୍ କି ପୌଡି ଭଳି ଗୁରୁତ୍ୱପୂର୍ଣ୍ଣ ଘାଟରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବାରୁ ସେଠାରେ ଅମାନିଆ ଭକ୍ତଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ଅସମ୍ଭବ ହୋଇପଡୁଛି ବୋଲି ମେଳା ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ ଅଫିସର ଦୀପକ ରାୱତ କହିଛନ୍ତି ।

କୁମ୍ଭମେଳାରେ ଏତେ ସଂଖ୍ୟକ ଭକ୍ତଙ୍କୁ ବୁଡ ପାଇଁ ଅନୁମତି ଦିଆଯାଉଥିବାରୁ ଉତ୍ତରାଖଣ୍ଡ ସରକାର ବର୍ତ୍ତମାନ ସମାଲୋଚନାର ଶରବ୍ୟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ବିଭିନ୍ନ ଆଖାଡାର ବରିଷ୍ଠ ସାଧୁଙ୍କ ସହ ଆଲୋଚନା ଜାରି ରହିଛି । ସେମାନଙ୍କର ମତାମତ ମିଳିଲେ, କୁମ୍ଭମେଳାକୁ ଆଗୁଆ ବନ୍ଦ କରାଯାଇପାରେ ବୋଲି ଉତ୍ତରାଖଣ୍ଡର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୁମ୍ଭମେଳାକୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଥିବାବେଳେ ବିଭିନ୍ନ ଘାଟରେ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜାଯାଇଛି । ଏହାସତ୍ତ୍ୱେ କୁମ୍ଭମେଳାରୁ ଅଧିକ ସଂଖ୍ୟକ ଭକ୍ତ ସଂକ୍ରମିତ ହେବା ଘଟଣା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।

Exit mobile version