ଟିପିସିଓଡିଏଲ୍ ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହିତ କରେ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )ଭୁବନେଶ୍ୱର :- ବର୍ତ୍ତମାନ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ସମଗ୍ର ମାନବଜାତି ପାଇଁ ସବୁଠାରୁ ବଡ଼ ବିପତ୍ତି ଭାବେ ଉଭା ହୋଇଛି । ସଂକ୍ରମଣ ରୋକିବା ପାଇଁ ଲୋକମାନଙ୍କ ଚଳାଚଳ ଉପରେ ପ୍ରତିବନ୍ଧକ କରିବାକୁ ସରକାର ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ମହାମାରୀ ସମୟରେ ଘରେ ରହିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଏହା ପ୍ରକୃତରେ କୋଭିଡ୍ ଗ୍ରାଫ୍‌କୁ ନିମ୍ନମୁଖୀ କରିବାରେ ସହାୟକ ହୋଇଥାଏ । ଏହି ପରିସ୍ଥିତିରେ ଡିଜିଟାଲ୍ ପେମେଣ୍ଟର ମହତ୍ତ୍ୱ ବୃଦ୍ଧି ପାଇଛି । ଡିଜିଟାଲ୍ ପେମେଣ୍ଟ ଦ୍ୱାରା ଲୋକମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଘରେ ଅନ୍‌ଲାଇନ୍ ମାଧ୍ୟମରେ ବିଭିନ୍ନ ଦେୟ ପଇଠ କରିପାରିବେ । ଏହାକୁ ଦୃଷ୍ଟିରେ ରଖି ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଗ୍ରାହକଙ୍କ ମଧ୍ୟରେ ଡିଜିଟାଲ୍ ପେମେଣ୍ଟକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପ ନେଇଛି । ଡିଜିଟାଲ୍ ମୋଡ୍ ମାଧ୍ୟମରେ ନିୟମିତ ବିଲ୍ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ ପୁରସ୍କୃତ କରିବା ପାଇଁ ପୂର୍ବରୁ ‘ପେ ଆଣ୍ଡ ୱିନ୍‌’ ବା ‘ବିଲ୍ ପଇଠ କର ଓ ଜିତ’ ସ୍କିମ୍ ପ୍ରବର୍ତ୍ତନ କରିସାରିଛି । ଏହି ଯୋଜନାଟି ଟିପିସିଓଡିଏଲ୍‌ର ସମସ୍ତ ୫ ସର୍କଲରେ କାର୍ଯ୍ୟକାରୀ କରାଯାଇଥିଲା ।

ପ୍ରତ୍ୟେକ ସର୍କଲ୍‌ରେ ୩ଟି ଲେଖାଏଁ ପୁରସ୍କାର ଦିଆଯାଇଥିଲା । ଗ୍ରାହକମାନଙ୍କ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ରହିଥିଲା ଏଲ୍‌ଇଡି ଟିଭି, ମାଇକ୍ରୋୱେଭ୍ ଓଭନ୍ ଓ ମିକ୍ସର୍ ଗ୍ରାଇଣ୍ଡର । ଲକି ଡ୍ର ମାଧ୍ୟମରେ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଭବିଷ୍ୟତରେ କମ୍ପାନୀ ପକ୍ଷରୁ ଏଭଳି ସ୍କିମ୍ ପ୍ରଚଳନ କରାଯିବାର ଯୋଜନା ରହିଛି । ଏହି ସ୍କିମ୍ ସମ୍ପର୍କରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀଯୁକ୍ତ ଏମ୍‌. ସେନବାଗମ୍ କହିଛନ୍ତି ଯେ, ଟିପିସିଓଡିଏଲ୍ ସର୍ବଦା ଗ୍ରାହକଙ୍କ ଖୁସି ଉପରେ ଗୁରୁତ୍ୱ ଦେଇଥାଏ । ବିଲ୍ ଦେବା ପ୍ରକ୍ରିୟାକୁ ସହଜ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଉଛୁ ଏବଂ ଗ୍ରାହକଙ୍କ ମଧ୍ୟରେ ନିୟମିତ ବିଲ୍ ଦେବାର ଅଭ୍ୟାସ ମଧ୍ୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ । କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କୁ ଡିଜିଟାଲ୍ ପେମେଣ୍ଟ ସହିତ ଖାପ ଖୁଆଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟକ୍ତିଗତ କାରବାରକୁ ସୀମିତ କରିଥାଏ । ଡିଜିଟାଲ୍ ପେମେଣ୍ଟ ପାଇଁ ‘ପେ ଆଣ୍ଡ ୱିନ୍‌’ ସ୍କିମ୍ ନିଶ୍ଚିତ ଭାବେ ଆମର ଗ୍ରାହକମାନଙ୍କୁ ଡିଜିଟାଲ୍ ମୋଡ୍‌ ମାଧ୍ୟମରେ ବିଲ୍ ପଇଠ କରିବା ପାଇଁ ପ୍ରୋତ୍ସାହିତ କରିଥିଲା । ଡିଜିଟାଲ୍ ପେମେଣ୍ଟ ଦ୍ୱାରା କୋଭିଡ୍‌-୧୯ ସଂକ୍ରମଣ ରୋକିପାରିବ ଯାହା ବର୍ତ୍ତମାନର ଆବଶ୍ୟକତା ବୋଲି ଶ୍ରୀଯୁକ୍ତ ଏମ୍‌. ସେନବାଗମ୍‌ କହିଛନ୍ତି ।

Exit mobile version