ଗତକାଲିଠୁ ଆରମ୍ଭ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ରାଉରକେଲା :- ଗତକାଲିଠୁ ଆରମ୍ଭ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) । ଉଦ୍‌ଘାଟନୀ ମ୍ୟାଚ୍ ସୁରୁ ହେବାସହିତ ସମାନ୍ତରାଳରେ ପୁଣି ରାଉରକେଲା ସହର ଓ ଆଖପାଖରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ଜୁଆ ବା ବେଟିଂ । ଟସ୍‌ରୁ ନେଇ ଖେଳ ଶେଷ ବୋଲିଂ ପର୍ଯ୍ୟନ୍ତ ଲାଗୁଛି ବାଜି । ପ୍ରାପ୍ତ ସୂଚନା ଅନୁସାରେ, ସହରର ଡେଲିମାର୍କେଟ, ଟ୍ରାଫିକ୍‌ ଗେଟ୍‌, ସେକ୍ଟର-୧୯ ଇସ୍ପାତ ମାର୍କେଟ, ଉଦିତନଗର, ବାସନ୍ତୀ କଲୋନି,ଛେଣ୍ଡ, ସିଭିଲଟାଉନସିପ୍‌, ପାନପୋଷ, ବେଦବ୍ୟାସ ଓ ବନ୍ଧମୁଣ୍ଡାରେ ଚାଲୁଛି ବେଧଡ଼କ ଖେଳ ।

କେବଳ ସହର ନୁହେଁ, ଏହାର ଆଖପାଖ ବୀରମିତ୍ରପୁର, ବିସ୍ରା, ଜରେଇକେଲା, ନୂଆଗାଁରରେ ମଧ୍ୟ ଚାଲୁଛି ବେଟିଂ। ବାଜି ଲାଗୁଛି ୫ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା । ଏମିତି ଦୈନିକ ପାଖାପାଖି ୪ରୁ ୫ କୋଟି ଉଡୁଛି ବୋଲି ଏକ ଆକଳନରୁ ପ୍ରକାଶ । ଏବେ ଖେଳ ମୁଖ୍ୟତଃ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ହେଉଛି । ଏ ଖେଳର ଚେର ଲମ୍ବିଛି ରାଉରକେଲାରୁ ଦିଲ୍ଲୀ ଓ ମୁମ୍ବାଇ ପର୍ଯ୍ୟନ୍ତ । ସ୍ଥାନୀୟ କିଛି ଜଣାଶୁଣା ଜୁଆଡି ଏହାର ସ୍ଥାନୀୟ ଦାୟିତ୍ବରେ ଅଛନ୍ତି । ବେଟିଂରେ ବାଜି ଲଗାଉଛନ୍ତି ମୁଖ୍ୟତଃ ବ୍ୟବସାୟୀ, ଶିଳ୍ପପତି ଓ ଇଞ୍ଜିନିୟରିଂ କଲେଜର ଛାତ୍ର । ଗତ ୨୦୧୯ରୁ ରାଉରକେଲା ସହର ଓ ଏହାର ଆଖପାଖରେ ଆଇପିଏଲ୍‌ ବେଟିଂ ଚାଲି ଆସୁଥିଲେ ହେଁ ପୁଲିସ ରୋକିବାକୁ ବିଫଳ ହୋଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version