ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 2020 :- ମାଳିକାର ପ୍ରବାଦ ପରୁଷ, ସଦ୍ଗୁରୁ ବାବା ବୈକୁଣ୍ଠନାଥଙ୍କ ପ୍ରତିଷ୍ଠିତ ଥିବା ଶ୍ରୀ ଶ୍ରୀ ରାଧାମୋହନଜିଉଙ୍କ ଚତୁଃତ୍ରିଂଶତିତମ ପ୍ରତିଷ୍ଠା ଉତ୍ସବ ସହିତ ଶ୍ରୀମଦ୍ ବାବାଙ୍କ ଶ୍ରୀବିଗ୍ରହର ପ୍ରତିଷ୍ଠାର ପଞ୍ଚଦଶ ବାର୍ଷିକୋତ୍ସବ ଏକସଙ୍ଗେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ୪ ଘଟିକାରୁ ଶଙ୍ଖଧ୍ୱନୀ ସହ ପ୍ରାର୍ଥନା କରାଯିବା ପରେ ନଗର ସଂକୀର୍ତ୍ତନ କରାଯାଇଥିଲା । ଦିବା ୯ ଘଟିକାରୁ ହରିହାଟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରେ ସ୍ଥାନ ପାଇଥିଲା ଶ୍ରୀମଦ ଭାଗବତ ପାଠ, ଶ୍ରୀମଦ ଭାଗବତ ଗୀତା ଅଠର ଅଧ୍ୟାୟ ପାଠ, ଗୀତମୃତ ଲହରୀପାଠ, ଶ୍ରୀବିଷ୍ଣୁ ସହସ୍ର ନାମ ଓ ଶ୍ରୀଗୋପାଳ ସହସ୍ର ନାମ ପାଠ, ଭଜନ, କୀର୍ତ୍ତନ ଇତ୍ୟାଦି । ଏହା ଏକ ସଙ୍ଗେ ଚାଲିଥିବା ବେଳେ ପ୍ରତିଷ୍ଠା ଉତ୍ସବ ହୋମ ମଧ୍ୟ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଶ୍ରୀ ରାମଚରିତ ମାନସ ପାଠ, ହନୁମାନ ଚାଳିଶା ପାଠ ଓ ମା’ ବାଗ୍ଦେବୀଙ୍କର ପୂଜାର୍ଚ୍ଚନା ମଧ୍ୟ ସମ୍ପାଦିତ ହୋଇଥିଲା । ଏହି ମନୋଜ୍ଞ କାର୍ଯ୍ୟକ୍ରମ ଦିବା ୧.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲୁ ରହିଥିଲା । ପରେ ଉପସ୍ଥିତ ଥିବା ଶତାଧିକ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ସନ୍ଧ୍ୟାରେ ଆରତି କୀର୍ତ୍ତନ, ପ୍ରାର୍ଥନା ଓ ଶାସ୍ତ୍ରପାଠାଦି ପରେ ଅନୁଷ୍ଠିତ ଧର୍ମସଭାରେ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଓ ସ୍ୱାମୀ ସତ୍ୟକାମାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ ନାମାଚାର୍ଯ୍ୟ ବାୟା ବାବାଙ୍କ ସଚ୍ଚୀନନ୍ଦନ ଟ୍ରଷ୍ଟର ମୁଖ୍ୟ ସନ୍ନ୍ୟାସୀ ବାବା ଭକ୍ତି ଚୈତନ୍ୟ ଦାସ ମହାରାଜ । ମୁଖ୍ୟ ବକ୍ତା ଓ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରିଥିଲେ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀଯୁକ୍ତ ନରେନ୍ଦ୍ର ମିଶ୍ର ଏବଂ ଓଡ଼ିଶା ଆର୍ଯ୍ୟ ସମାଜର ସଭାପତି ଶ୍ରୀଯୁକ୍ତ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମହୋଦୟ । ଏହି ଧର୍ମସଭାକୁ ପରିଚାଳନା କରିଥିଲେ ଆଶ୍ରମର ଅନ୍ୟତମ ସେବକ ସୁରେନ୍ଦ୍ରନାଥ ମହାନ୍ତି । ମୁଖ୍ୟ ଅତିଥି, ପୂଜ୍ୟ ଗୁରୁଦେବଙ୍କୁ ଜଣେ ଆଦର୍ଶବାଦୀ ସନ୍ଥଭାବେ ବର୍ଣ୍ଣନା କରି ବାବାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ୧୯୭୨ ମସିହାରୁ ରହିଆସିଛି ବୋଲି ପ୍ରକାଶ କରିଥିଲେ । ଦିବ୍ୟ ଜୀବନ ସଂଘର ଏକ ସପ୍ତାହବ୍ୟାପୀ ଜାତୀୟ ସମ୍ମିଳନୀରେ ପୂଜ୍ୟପାଦ ବାବା ବୈକୁଣ୍ଠନାଥ ଗୋଟିଏ ଦିନ ସଭାପତିତ୍ୱ କରି ଉଦ୍ବୋଧନ ଦେଇଥିଲେ ଏବଂ ସେହି ଦିନଠାରୁ ବାବାଙ୍କ ସହିତ ସ୍ୱାମୀଜୀଙ୍କ ବ୍ୟକ୍ତିଗତ ସମ୍ପର୍କ ରହିଆସିଥିଲା । ପୂଜ୍ୟ ସତ୍ୟକାମାନନ୍ଦଜୀ ବାବାଙ୍କୁ ଜଣେ ସନ୍ଥ କବି ଭାବେ ଅଭିହିତ କରି ତାଙ୍କ ସାହିତ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ପୂଜ୍ୟଭକ୍ତି ବାବା, ସଦ୍ଗୁରୁ ବୈକୁଣ୍ଠନାଥଙ୍କ ସହିତ ତାଙ୍କ ଗୁରୁଦେବଙ୍କ ନିବିଡ଼ ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇଥିଲେ । ଶ୍ରୀଯୁକ୍ତ ମିଶ୍ର ମହୋଦୟ ବାବାଙ୍କୁ ଜଣେ ଅନନ୍ୟ ସନ୍ଥ ଭାବେ ଅଭିହିତ କରି ତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କରେ ସୂଚନା ପ୍ରଦାନ କରି ତାଙ୍କ ଆଦର୍ଶ ଓ ଦର୍ଶନକୁ ଲୋକାଭିମୁଖୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ପୂଜ୍ୟ ଗୁରୁଦେବଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ସନ୍ଥକବି ଭାବେ ବର୍ଣ୍ଣନା କରିଥିଲେ । ପରିଶେଷରେ ଶ୍ରୀ ମହାନ୍ତି, ପୂଜ୍ୟପାଦ ଗୁରୁଦେବଙ୍କୁ ‘ବିଶ୍ୱପ୍ରାଣ ବୈକୁଣ୍ଠନାଥ’ ଭାବେ ଅଭିହିତ କରି ସମଗ୍ର ଜନତାଙ୍କ ଦୁଃଖ କଷ୍ଟକୁ ନିଜ ମୁଣ୍ଡ ଉପରକୁ ନେଇ ଅନ୍ୟମାନଙ୍କୁ ସେଥିରୁ ମୁକ୍ତ କରିବା ପାଇଁ ଜଣେ ଦରଦୀ ପ୍ରାଣ ଭାବେ ବାବା ତାଙ୍କ ଇଷ୍ଟଙ୍କ ନିକଟରେ କରିଥିବା ସଭକ୍ତି ନିବଦେନକୁ ସ୍ମରଣ କରାଇ କହିଲେ ‘ଜଗତେ ଯେତେ କଷଣ, ମୋତେ ତା ଦିଅ ଆପଣ ବଇକୁଣ୍ଠ ନିବେଦନ ଆନକୁ ନିସ୍ତାରି ଦିଅ’ ଏହା କଣ ବାବାଙ୍କର ବିଶ୍ୱପ୍ରାଣତାର ପରିଚୟ ନୁହେଁ କି? ଏହି ମହୋତ୍ସବରେ ଅନ୍ୟତମ ଆକର୍ଷଣ ଥିଲା ବୈକୁଣ୍ଠ ଭଜନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ଓ ମିନତୀ ମଲ୍ଲ ଏକ ଅଭିନବ ଶୈଳୀରେ ପ୍ରଦର୍ଶନ କରାଇଥିଲେ । ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ୪ଗୋଟି ବିଭାଗର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ପରେ ରାଜ୍ୟ ସଂସ୍କୃତି ବିଭାଗଙ୍କ ପ୍ରାୟୋଜିତ ବୈକୁଣ୍ଠ ଭଜନ ସମାରୋହ । ସଙ୍ଗୀତ ନିର୍ଦ୍ଦେଶକ ଶୀତ୍ରାଂଶୁ ରାଉତ ଓ ସାଥୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସର୍ବଶେଷରେ ପହୁଡ଼ ଆରତି ଓ ନାମ ସଂକୀର୍ତ୍ତନ ମଧ୍ୟରେ ଉତ୍ସବ ଉଦ୍ଯାପନ କରାଯାଇଥିଲା । ଉତ୍ସବକୁ ସର୍ବାଙ୍ଗ ସୁନ୍ଦର ଭାବେ ସମ୍ପନ୍ନ ହେବାରେ ସହଯୋଗ କରିଥିଲେ ଗୌତମ ଚନ୍ଦ୍ର ନାୟକ, ସନାତନ ପଣ୍ଡା, ସତ୍ୟାନନ୍ଦ ପାଣି, ଅମ୍ବିକା ପ୍ରସାଦ ଶିଶୁ ଗୋସ୍ୱାମୀ, ସୁନିଲ କୁମାର କର, ଦେବରଞ୍ଜନ ପଟ୍ଟନାୟକ, କମଳେନ୍ଦ୍ର ସାମନ୍ତରାୟ ପ୍ରମୁଖ ।
ଏକାମ୍ର ସତ୍ୟସେବାଶ୍ରମରେ ଶ୍ରୀ ଶ୍ରୀ ରାଧାମୋହନଜିଉଙ୍କ ଚତୁଃତ୍ରିଶତିତମ ପ୍ରତିଷ୍ଠା ଉତ୍ସବ ଓ ପୂଜ୍ୟପାଦ ବାବା ବୈକୁଣ୍ଠନାଥଙ୍କ ଶ୍ରୀବିଗ୍ରହ ପ୍ରତିଷ୍ଠାର ପଞ୍ଚଦଶ ବାର୍ଷିକ ଉତ୍ସବ

Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026