ଝାଳବୁହା ପରିଶ୍ରମ କରି କ୍ଷେତରୁ ପନିପରିବା ଅମଳ କରୁଥିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ରାଉରକେଲା :- ଝାଳବୁହା ପରିଶ୍ରମ କରି କ୍ଷେତରୁ ପନିପରିବା ଅମଳ କରୁଥିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ । ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିବର୍ଷ ଏମିତି ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ଶହ ଶହ ପରିବା ଚାଷୀ । ଏହା ସତ୍ବେ ସରକାର ଅବା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଶୀତଳ ଭଣ୍ଡାର ସ୍ଥାପନା କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବାଧ୍ୟ ‌ହୋଇ ଚାଷୀମାନେ ନିଜର ଉତ୍ପାଦିତ ପନି ପରିବାକୁ ରାସ୍ତାରେ ପିଙ୍ଗି ଦେଉଛନ୍ତି । ଗାଈଗୋରୁଙ୍କୁ ଖାଇବାକୁ ଦେଇ ଦେଉଛନ୍ତି ।

ଗତ ପ୍ରାୟ ଦେଢ଼ ମାସ ଧରି ନୂଆଗାଁ, ବୀରମିତ୍ରପୁର, ହାତୀବାରି ଆଦି ଅନେକ ମାର୍କେଟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଗତକାଲି ନୂଆଗାଁ ଓ ହାତୀବାରି ହାଟରେ ଚାଷୀମାନେ ଟମୋଟୋ ସମେତ ଅନ୍ୟାନ୍ୟ ପରିବା ବିକ୍ରି ନ ହେବାରୁ ଫିଙ୍ଗି ଦେଇ ଚାଲି ଯାଇଥିଲେ । କେବଳ ଟମାଟୋ ନୁହେଁ ଫୁଲ କୋବି, ବନ୍ଧାକୋବି, କ୍ୟାପିସ୍‌କମ୍‌ ହେଉ ଅବା ଟମୋଟୋ ସବୁ ପନିପରିବାର ଦେଖାଦେଇଛି ଅଭାବିବିକ୍ରୀ । ବଜାରରେ ଟମାଟୋ କେଜି ପ୍ରତି ୨ ଟଙ୍କାରେ ନେବାକୁ ଗ୍ରାହକମାନେ ଅରାଜି ହେଉଛନ୍ତି ।

ସେମିତି ବନ୍ଧାକୋବି କେଜି ୫ରୁ ୭ ଟଙ୍କାରେ ନେଉ ନାହାନ୍ତି । ଫଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ପନିପରିବା ଧରି ହାଟକୁ ଆସିଥିବା ଚାଷୀ ଶେଷରେ ମାଗଣାରେ ବିକିବାକୁ ବାଧ୍ୟ ହେଉଛି । ଗତ କିଛି ଦିନ ତଳେ ବୀରମିତ୍ରପୁର ପୌରପାଳିକା ସାପ୍ତାହିକୀ ହାଟରେ ଚାଷୀମାନେ କ୍ବିଣ୍ଟାଲ କ୍ବିଣ୍ଟାଲ ଟମୋଟୋକୁ ମାଗଣାରେ ଲୋକମାନଙ୍କୁ ବାଣ୍ଟି ଦେଇଥିଲେ । କେବଳ ବୀରମିତ୍ରପୁର ନୁହେଁ ଚାଷୀମାନେ ରାଉରକେଲା ଟ୍ରାଫିକ୍‌ ଗେଟ୍‌ ପରିବା ବଜାରକୁ ବିକିବାକୁ ଆଣିଥିବା ଶହ ଶହ କ୍ବିଣ୍ଟାଲ, କୋବିକୁ ବ୍ୟବସାୟୀ ନ ହେବାରୁ ମାଗଣାରେ ବାଣ୍ଟିଦେଇଥିଲେ । ସୁନ୍ଦରଗଡ ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି  । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version