ଦୁନିଆରେ ଏପରି ଏକ ଗାଁ ରହିଛି ; ଯେଉଁଠାରେ ସମଗ୍ର ବାସିନ୍ଦା ମାଟିତଳେ (ଭୂମିତଳେ) ବାସ କରନ୍ତି

 ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ଅଷ୍ଟ୍ରେଲିଆ :- ଏହି ଅନନ୍ୟ ଗାଁର ନାମ ହେଉଛି କୁବର ପେଡି । ଏହା ଦକ୍ଷିଣ ଅଷ୍ଟ୍ରେଲିଆରେ ଅବସ୍ଥିତ । ଏହି ଗାଁର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଠାକାର ଅଧିକାଂଶ ଲୋକେ ଭୂମିତଳେ (ଅଣ୍ଡରଗ୍ରାଉଣ୍ଡ) ଘରେ ରୁହନ୍ତି । ବାହାରୁ ଏହି ଘର ଗୁଡ଼ିକ ସାଧାରଣ ଦେଖାଯାଏ, ମାତ୍ର ଭିତରର ଦୃଶ୍ୟ କୌଣସି ଦାମୀ ହୋଟେଲରୁ କମ ନୁହେଁ । ବାସ୍ତବରେ ଏହି ସ୍ଥାନରେ ଓପାଲ (ଧଳା ଅଥବା ନେଳିଆ ରଙ୍ଗର ଏକ ମୂଲ୍ୟବାନ ପଥର)ର ଅନେକ ଖଣି ରହିଛି । ଏଠାରେ ଖାଲି ପଡିଥିବା ଓପାଲର ଖଣିରେ ଲୋକେ ବାସ କରନ୍ତି ।

ଏଠାରେ ଦୁନିଆରେ ସର୍ବାଧିକ ସଂଖ୍ୟକ ଓପାଲ ଖଣି ଥିବାରୁ କୁବର ପେଡ଼ିକୁ ଓପାଲର ରାଜଧାନୀ ବୋଲି କୁହାଯାଏ । ମିଳଥିବା ସୂଚନା ଅନୁଯାୟୀ, କୁବର ପେଡିରେ ଖଣି କାର୍ୟ୍ୟ ପ୍ରାୟ ୧୯୧୫ ମସିହାରେ ଆରମ୍ଭ ହୋଇଥିଲା । ବାସ୍ତବରେ ଏହା ଏକ ମରୁଭୂମି ଅଞ୍ଚଳ, ତେଣୁ ଗ୍ରୀଷ୍ମ ଦିନେ ଏଠାରେ ତାପମାତ୍ରା ବହୁତ ଅଧିକ ଏବଂ ଶୀତଦିନେ ବହୁତ କମ । ଏହି କାରଣରୁ ଏଠାରେ ବାସ କରୁଥିବା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା, ଏହାର ସମାଧାନ ଅନୁଯାୟୀ, ଲୋକେ ଖଣି ଖନନ ପରେ ଖାଲି ହୋଇସାରିଥିବା ସ୍ଥାନରେ ରହିବାକୁ ଲାଗିଲେ ।

କୁବର ପେଡିରେ ଥିବା ଏହି ଅଣ୍ଡରଗ୍ରାଉଣ୍ଡ ଘର ଗୁଡିକରେ ଖରାଦିନେ ଏସି କିମ୍ବା ଶୀତଦିନେ ଉତ୍ତାପକାରୀ ଯନ୍ତ୍ର (ରୁମ ହିଟର)ର ମଧ୍ୟ ଆବଶ୍ୟକତା ପଡେ ନାହିଁ। ଆଜି ମଧ୍ୟ ଏଠାରେ ୧୫୦୦ରୁ ଅଧିକ ଘର ରହିଛି, ଯାହା ଜମି ଭିତରେ ଅଛି ଓ ଲୋକମାନେ ଏଠାରେ ବାସ କରୁଛନ୍ତି । ଏହି ଘର ମାନଙ୍କରେ ସମସ୍ତ ପ୍ରକାର ସୁବିଧା ରହିଛି । ଏହାସହ ବିଭିନ୍ନ ପ୍ରକାର ସାଜସଜ୍ଜା ଜିନିଷ ବ୍ୟବହାର କରାଯାଇଛି । ଅନେକ ହଲିଉଡ ଚଳଚ୍ଚିତ୍ର ଏଠାରେ ସୁଟିଂ ମଧ୍ୟ କରାଯାଇଛି । ସୁଟିଂ ହେବା କାରଣରୁ ଏହି ସ୍ଥାନ ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଠାକୁ ବହୁ ଲୋକେ ବୁଲିବାକୁ ଆସନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version