ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟିଟିଲାଗଡ ସହରର ବ୍ୟାପକ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ROB ସହିତ ଟିଟିଲାଗଡରେ ଆଧୁନିକ ବସ୍ଷ୍ଟାଣ୍ଡ, ସୁଇମିଂ ପୁଲ୍, ମହାରାଜା ସାଗରର ପୁନରୁଦ୍ଧାର, ବର୍ଜ୍ୟ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି ।
ଏହିସବୁ ଗୁଡିକ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଭିତ୍ତିଭୂମି ବିକାଶର ଆଧାର ବୋଲି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭିତ୍ତିଭୂମିର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ଓଡିଶା ଆଜି ଭିତ୍ତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟରେ ସଡକ, ସେତୁ, ବନ୍ଦର ଆଦି ଭିତ୍ତିଭୂମିର ବିକାଶ ଯୋଗୁ ଯୋଗାଯୋଗ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି । ଭିତ୍ତିଭୂମି ସମସ୍ତଙ୍କର ସଂପତ୍ତି ବୋଲି ପ୍ରକାଶ କରି, ସମସ୍ତେ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । କରୋନାର ଦ୍ବିତୀୟ ଲହରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ବିକାଶ ପାଇଁ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି ।
