ଗଜପତି ଜିଲ୍ଲାର ରାମଗିରିରେ ନେଟୱର୍କ ସମସ୍ୟା ଯୋଗୁଁ ବିଭିନ୍ନ କାର୍ଯ୍ୟ ଠପ୍  ; ଅନଲାଇନ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକର ରାମଗିରି ଠାରେ ବିଏସ୍‌ଏନ୍‌ଏଲ୍ ନେଟ୍‌ୱାର୍କ ସେବା ସଦା ସର୍ବଦା ବ୍ୟାଘାତ ଯୋଗୁଁ ବିଭିନ୍ନ କାର୍ଯ୍ୟ ଠପ୍ ହୋଇପଡିଥିବାର ଦେଖିବାକୁ ମିଳିଛି । ସେହିପରି ଉକ୍ତ ଅଞ୍ଚଳର ବିଭିନ୍ନ ବ୍ୟାଙ୍କ ବ୍ୟବସାୟ ପ୍ରତିଷ୍ଠାନ ତଥା ସରକାରୀ ବେସରକାରୀ ଅନୁଷ୍ଠାନମାନରେ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାମଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାପାଇଁ ଘୋଷଣା କରାଯାଉଛି । ଏହି ଯୋଜନା

ଗୁଡିକ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିବା, ପାଠ ପଢିବା, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନ୍‌ଲାନ୍‌ରେ ପଞ୍ଜିକରଣ କରିବା, ଏପରି କି ମୋବାଇଲ ବ୍ୟାଙ୍କିଙ୍ଗ ଯୋଗେ ଆର୍ଥିକ କାରବାର କରିବା ଆଦି ସହ ସରକାରଙ୍କ ପ୍ରାୟତଃ କାରବାର ବର୍ତ୍ତମାନ ଅନ୍‌ଲାଇନ୍‌ରେ ହିଁ ହେଉଛି । ଏଥି ନିମନ୍ତେ ସରକାର ବିଭିନ୍ନ ସମୟରେ ବିଭିନ୍ନ ଘୋଷଣା କରୁଛନ୍ତି ଯେ ସବୁ ଅନ୍‌ଲାଇନ ବା ଇଣ୍ଟରନେଟ ମାଧ୍ୟମରେ ସବୁ ବ୍ୟବସ୍ଥା କରାଯାଉଛି । ତେବେ ଏଭଳି ନେଟ୍‌ୱାର୍କ ବ୍ୟବସ୍ଥା ଯୋଗୁଁ କିଏକିପରି ଅନ୍‌ଲାଇନର ବ୍ୟବହାର କରିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାକୁ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଜଣାଇଛନ୍ତି । ଏଥିକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଥିବା ଜଣାପଡିଛି ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version