ଚୈତ୍ର ଦ୍ୱିତୀୟ ମଙ୍ଗଳବାର : ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ହିଞ୍ଜିଳିକାଟୁ :-  ଚୈତ୍ର ମାସ ଦ୍ୱିତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ଭକ୍ତ ମାନଙ୍କୁ ଶାରୀରିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ପୂର୍ବକ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସକାଶେ ଅନୁମତି ମିଳିଥିଲା । ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ବହୁ ସମୟ ଧରି ଭକ୍ତ ମାନେ ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ ।

ଜିଲ୍ଲା ପ୍ରଶାସନର କଟକଣା ଅନୁସାରେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇପାରି ନଥିଲେ । ବହୁ ଦୁର ଦୂରାନ୍ତରରୁ ଭକ୍ତ ମାନେ ସୋମବାର ରତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଂଟନ କରାଯାଇଥିଲା । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ପଂଚାୟତ ଅଧିନସ୍ଥ ମା’ କରେଇଶୁଣୀ ପୀଠରେ କିଛି ମାନସିକଧାରୀ ଭକ୍ତ ଲୁଚାଛପାରେ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ପରିବାର, ପରିଜନ ମାନଙ୍କ ସହ ମିଶି ଭୋଜନ ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଥିଲା ।  ( ରିପୋର୍ଟ ସୁଶାନ୍ତ ପ୍ରଧାନ )

Exit mobile version