ରାଜକନିକା ବ୍ଲକର ଅବଦୁଲପୁର ଗାଁରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣା କରିଛି

ଓଡ଼ିଶା ତାଜା ନ୍ୟୁଜ୍  (୩ ଏପ୍ରିଲ ଶନିବାର ,ଶୁକ୍ରବାର ) କେନ୍ଦ୍ରାପଡ଼ା/ରାଜକନିକା :- ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଗାଁରେ ଥିବା ସଚଳ ନଳକୂପଟି ଭାଙ୍ଗି ଯିବାରୁ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି । ବହୁ ନଳକୂପ ଅଚଳ ହୋଇପଡିଛି । ଗୋଟିଏ ନଳକୂପରେ ପାଣି ନେବାକୁ ଅସମ୍ଭବ ଭିଡ ହେଉଛି । ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁ ପାନୀୟ ଜଳର ଅଭାବ ଲୋକଙ୍କ ପାଇଁ କାଳ ହୋଇଛି । ୫ ବର୍ଷ ତଳେ ଗାଁ ପଡିଆରେ ୨୫ ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ା ପାନୀୟଜଳ ଓ ପରିମଳ ଡିଭିଜନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀଙ୍କୁ ଯୋଗାଇ ଦେବାକୁ ସରକାର ସ୍ଥିର କରିଥିଲେ । ହେଲେ ଇତିମଧ୍ୟରେ ୫ ବର୍ଷ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ପାଇପ ବିଛାଇବା ଦୂରର କଥା ମୋଟର ଲାଗିନି କି ପମ୍ପ ହାଉସ ନିର୍ମାଣ ହୋଇନାହିଁ ।

ଗ୍ରାମବାସୀ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ାର ପ୍ରାକ୍ତନ ଜିଲାପାଳ ସମର୍ଥ ବର୍ମାଙ୍କ ନିକଟରେ ପାନୀୟ ଜଳ ପାଇଁ ଦାବି କରିଥିଲେ । ହେଲେ କିଛି ସୁଫଳ ମିଳୁନାହିଁ । ବିଧାୟକ ଦେବ ମାସେ ତଳେ ଗାଁକୁ ମହାତ୍ମା ଗାନ୍ଧୀ ଓ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଆସିଥିଲେ । ଗାଁର ମହିଳା ଏକଜୁଟ ହୋଇ ତାଙ୍କ ନିକଟରେ ପାଣି ପାଇଁ ଦାବି କରିଥିଲେ । ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ମେ ସୁଦ୍ଧା ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ । ତେବେ ତାଙ୍କ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେବ ସମୟ ହିଁ କହିବ । ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ବାରମ୍ବାର ଗ୍ରାମବାସୀ ଜଣାଇଥିଲେ ବି କିଛି ସୁଫଳ ମିଳିନାହିଁ । ଯଦି ମେ ସୁଦ୍ଧା ରାଜ୍ୟ ସରକାର ପ୍ରକଳ୍ପକୁ କାର୍ଯ୍ୟକାରୀ ନ କରନ୍ତି ତାହା ହେଲେ ମହିଳାମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version