ହିଞ୍ଜିଳି ପୋଲିସ ପକ୍ଷରୁ କରୋନା ସଚେତନତା

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ୍ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ୍ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ ଏବଂ କେରଳରେ ଏହି ଭାଇରସ୍ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ସର୍ତକତା ଅବଲମ୍ବନ କରିଲେଣି । ପ୍ରତ୍ୟେକ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆରମ୍ଭ କଲେଣି । ଗଞ୍ଜାମ ଜିଲ୍ଲା ଏକଦା ରାଜ୍ୟର ରେଡ଼୍ ଜୋନ ହୋଇ ରହିଥିଲା । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି ।

ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରି ବହୁ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳ ବୁଲି ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଏହା ସତ୍ୱେ ମଧ୍ୟ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଜନ ସାଧାରଣ ଆଦୌ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ନିଜେ ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ପରାମର୍ଶ ଦେଇ ଆସୁଥିଲେ ମଧ୍ୟ ସ୍ଥାନୀୟ ସହରର ସମସ୍ତ ଜନଗହଳି ପୁର୍ଣ୍ଣ ଅଂଚଳ ଗୁଡ଼ିକ ପୂର୍ବଭଳି ବେପାରୁଆ ହୋଇ ରହିଛି । ଏହାକୁ ଆଖି ଆଗରେ ରଖି ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ହିଞ୍ଜିଳିକାଟୁ ପୈାରାଞ୍ଚଳର ବିଭିନ୍ନ ସ୍ଥାନରେ ମାସ୍କ ବ୍ୟବହାର ସହ ସମସ୍ତ କରୋନା କଟକଣାକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଜନସଚେତନତା ସୃଷ୍ଟି କରିଥିଲେ । କରୋନା କଟକଣାକୁ ଉଲଘଂନ କରୁଥିବା ଅମାନିଆଙ୍କ ବିରୋଧରେ ଆଗାମୀ ଦିନରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version